ଭୁବନେଶ୍ବର, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଏସ୍ପି ସାଜି ସରକାରୀ ଅଧିକାରୀଙ୍କୁ ବଟି ମାଗିବା ଘଟଣାରେ ଏସଟିଏଫର ତଦନ୍ତ ବ୍ୟାପକ କରିଛି । ଠକ ମନୋଜ ମାଝିର ୩ଟି ଆକାଉଣ୍ଟରୁ ବାହାରିଲା ୬୫ଟଙ୍କା । ଏହା ଦେଖି ଏସ୍ଟିଏଫ ଅଧିକାରୀ ଆଶ୍ଚର୍ୟ୍ୟ ହୋଇଛନ୍ତି । ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଠକ ଆକାଉଣ୍ଟରୁ ଟଙ୍କା ଗଲା କୁଆଡେ ତାକୁ ନେଇ ଦ୍ଵନ୍ଦରେ ଏସଟିଏଫ୍ । ଠକ ମନୋଜ ନାଁରେ ଆଉ କେତୋଟି ଆକାଉଣ୍ଟ ଅଛି ତାହା ଜାଣିବା ପାଇଁ ଆରବିଆଇକୁ ଏସଟିଏଫ୍ ଚିଠି ଲେଖିଛି । ମନୋଜର ବ୍ୟାଙ୍କ ଲକରକୁ ମଧ୍ୟ ଯାଞ୍ଚ କରିବ ଏସଟିଏଫ୍ ଟିମ୍ । ସେପଟେ ଗିରଫ ବେଳେ ଏସଟିଏଫ୍ ଅଧିକାରୀଙ୍କୁ ଚ୍ୟାଲେଞ୍ଜ କରିଥିଲା ଠକ । ତା ଆକାଉଣ୍ଟରୁ ଠକେଇ ଟଙ୍କା ଠାବ ହେଲେ ସେ ଆଉ ଲୋକଙ୍କୁ ଠକେଇ କରିବ ନାହିଁ ବୋଲି କହିଥିଲା । ଠକ ମନୋଜ ଠକେଇ ଟଙ୍କାକୁ ସେୟାର ମାର୍କେଟରେ ଲଗାଇଥିବା ଏସଟିଏଫ୍ ଅନୁମାନ କରୁଛି । ସେ ଦିଗକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି । ଚାକିରୀ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଘଟଣାରେ ଠକ ମନୋଜ ମାଝି ଗିରଫ ହୋଇଥିଲା । ମନୋଜ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଛି । ହେଲେ ଭଙ୍ଗା ଆଜବେଷ୍ଟସ ଘରେ ରହୁଥିଲା । ଠକ ମନୋଜ ଗତ ମାସେ ମଧ୍ୟରେ ତିନି ତିନି ଥର ଦୁର୍ଘଟଣାର ଶିକାର ହୋଇଛି । ତା ହାତ ଗୋଡ଼ ଭାଙ୍ଗି ଯାଇଛି । ଜେଲ୍ ଯିବା ପରେ ଝାରପଡା ଜେଲ୍ରେ ମନୋଜ ଚିକିତ୍ସିତ ହେଉଛି । ଠକ ମନୋଜକୁ ରିମାଣ୍ଡରେ ଆଣିବା ପାଇଁ ଖୁବଶୀଘ୍ର ଏସଟିଏଫ୍ କୋର୍ଟରେ ଆବେଦନ କରିବ ।





