ପୁନେ, (ବାଘୁଆବାର୍ତ୍ତା): ମହାରାଷ୍ଟ୍ରର ପୁନେ ପୋଲିସ ନକଲି ସେନାର ଅଧିକାରୀକୁ ଗିରଫ କରିଛି। ଏହି ବ୍ୟକ୍ତିଜଣକ ନିଜକୁ ସେନା ଅଧିକାରୀ କହି ଅନେକ ମହିଳାଙ୍କୁ ବିବାହ କରିବା ସହ ପ୍ରେମଜାଲରେ ଫଶାଇଛି। ଔରଙ୍ଗାବାଦରେ ରହୁଥିବା ଯୋଗେଶ ଦତ୍ତୁ ଗାଏକଓ୍ବାଡକୁ ଗିରଫ କରାଯାଇଛି। ସେ ୪ଟି ବିବାହ କରିଥିବା ବେଳେ ୫୩ଟି ମହିଳାଙ୍କୁ ସହ ରଖିଥିଲା ପ୍ରେମ ସମ୍ପର୍କ। ଏହାଛଡା ୨୬ ବର୍ଷୀୟ ଯୋଗେଶ ଉପରେ ସେନାରେ ଚାକିରୀ ଦେବା ନାଁରେ ୨୦ ରୁ ଅଧିକ ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବାର ଅଭିଯୋଗ ହୋଇଛି। ପୋଲିସ ତା’ର ସାଥୀ ସଞ୍ଜୟ ସିନ୍ଦେକୁ ମଧ୍ୟ ଗିରଫ କରିଛି ଓ ଦୁହିଁଙ୍କ ପାଖୁ ସେନାର ୧୨ଟି ୟୁନିଫର୍ମ ସହିତ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ପୋଲିସ କମିଶନର (ଜୋନ୍ ବି) ନମ୍ରତା ପାଟିଲ କହିଛନ୍ତି, ଯୋଗେଶ ସେନାର ଅଧିକାରୀ ହୋଇ ବହୁ ମହିଳା ଓ ତାଙ୍କ ସମ୍ପକୀୟଙ୍କୁ ଠକିଛି। ଗତ ମାସ ୨୧ ତାରିଖରେ ପୁନେର ବିବଭେଓ୍ବାଡିରେ ରହୁଥିବା ୨୨ ବର୍ଷୀୟ ଜଣେ ମହିଳା ଅଭିଯୋଗ କରିଛନ୍ତି। ତାଙ୍କର ଅଭିଯୋଗ ପରେ ପୋଲିସ ଯୋଗେଶକୁ ଗିରଫ କରିଛି।





