ଭୁବନେଶ୍ୱର, (ବାଘୁଆବାର୍ତ୍ତା): ୨୦୨୦-୨୧ରେ ପାଖାପାଖି ୨୨ ହଜାର ୨୧୭ ଏକର ଜମିରେ ଗଞ୍ଜେଇ ଗଛ ପୋଡ଼ାଗଲା । ୨୦୧୯-୨୦ରେ ପ୍ରାୟ ୧୫ ହଜାର ୯୦୦ ଏକର ଓ ୨୦୧୮-୧୯ରେ ୯ ହଜାର ୪୭୩ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ କରାଗଲା । ତଥାପି ଓଡି଼ଶାରେ ଗଞ୍ଜେଇ ଚାଷ କମୁନି । ୧୦ ଜିଲ୍ଲାର ପାହାଡ଼ିଆ ଜଙ୍ଗଲରେ ହେକ୍ଟର ହେକ୍ଟର ଜମିରେ ବିପୁଳ ଚାଷ ଚାଲିଛି । ଏଭଳି ଜହର ଚାଷ ଜମିକୁ ଓଡି଼ଶା ନକ୍ସାରୁ ଲିଭାଇବାକୁ ଅଣ୍ଟା ଭିଡି଼ଛନ୍ତି ରାଜ୍ୟ ସରକାର । ଅପହଞ୍ଚ ପାହାଡି଼ଆ ଅଞ୍ଚଳରେ ଡ୍ରୋନ୍ ଉଡ଼ାଇ, ସାଟେଲାଇଟ୍ ଜରିଆରେ ଚିହ୍ନଟ କରି ଗଞ୍ଜେଇ ଗଛ ନଷ୍ଟ କରିବାକୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି । ଗଞ୍ଜେଇ ଚାଷ ଓ କାରବାର ରୋକିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏଥିରେ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ଯେ ପୁଲିସ, ଅବକାରୀ ଓ ରାଜସ୍ୱ ବିଭାଗ ମିଳିତ ଭାବେ ଅପରେସନରେ କରି ଗଞ୍ଜେଇ ଚାଷରେ ରୋକ ଲଗାନ୍ତୁ । ସ୍ଥାନୀୟ ଗୁଇନ୍ଦା ସୂତ୍ରକୁ ଗୁରୁତ୍ୱ ଦେଇ ଗଞ୍ଜେଇ ଚାଷ ଅଞ୍ଚଳକୁ ଚିହ୍ନଟ କରାଯାଉ । ଅପହଞ୍ଚ ପାହାଡି଼ଆରେ ଗଞ୍ଜେଇ ଅମଳ ପୂର୍ବରୁ ଚାଷ ଜମିକୁ ଚିହ୍ନଟ ପାଇଁ ସାଟେଲାଇଟ୍ ଓ ଡ୍ରୋନ୍ର ବ୍ୟବହାର କରାଯିବ । ଚିହ୍ନଟ ଜମିକୁ ତୁରନ୍ତ ନଷ୍ଟ କରାଯିବ । ସେହିପରି ଗଞ୍ଜେଇ ଚାଷ ହେଉଥିବା ଜମିର ରେକର୍ଡ ଯାଞ୍ଚ କରାଯିବ । ଘରୋଇ ଜମିରେ ଚାଷ ହେଉଥିଲେ, ଜମି ମାଲିକଙ୍କ ବିରୋଧରେ ଏନଡିପିଏସ୍ ଆକ୍ଟରେ ମାମଲା ରୁଜୁ ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାସ୍ତରରେ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରି ଅଭିଯାନକୁ ଆଗେଇ ନେବାକୁ ପ୍ରତି ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି ଯେ, ଗଞ୍ଜେଇ ଚାଷ କରି ଜୀବିକା ନିର୍ବାହ କରୁଥିବା ଆଦିବାସୀ ଓ ଗରିବ ପରିବାରକୁ ଚିହ୍ନଟ କରାଯିବ । ସେମାନଙ୍କ ପାଇଁ ଓଡ଼ିଶା ଜୀବିକା ମିଶନ, ଜାତୀୟ ଜୀବିକା ମିଶନ, ମନରେଗା, ଅଧିକ ଅମଳ ଶସ୍ୟ, ଅଣୁ ଓ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଭଳି ବିକଳ୍ପ ଜୀବିକା ସମ୍ପର୍କରେ ବୁଝାଯିବ । ଚାଷ ଋତୁ ଆରମ୍ଭରୁ ଏସବୁ ଜୀବିକା ଦ୍ୱାରା ପେଟ ପୋଷିବାକୁ ବାଟ ବତାଯିବାକୁ ଜୋର୍ ଦିଆଯାଇଥିଲା । ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି ଜିଲ୍ଲାୱାରୀ ସ୍ଥିତିର ସମୀକ୍ଷା କରି ଗଞ୍ଜେଇ ଚାଷକୁ ସମୂଳେ ନାଶ କରିବାକୁ ଆହ୍ୱାନ ଦେଇଥିଲେ । ସେ କହିଥିଲେ, ୧୦ ଜିଲ୍ଲାରୁ ଅନୁଗୁଳ, ସମ୍ବଲପୁରରେ ଚାଷ ପ୍ରାୟ କମିଛି । କିନ୍ତୁ ବୌଦ୍ଧ, ଦେଓଗଡ଼, ଗଜପତି, ଗଞ୍ଜାମ, କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ବିପୁଳ ବଢ଼ିଛି । ଏସବୁ ଜିଲ୍ଲାରୁ ସମୂଳେ ନାଶ କରାଯିବ । ଉନ୍ନୟନ କମିଶନର ପ୍ରଦୀପ ଜେନା କହିଥିଲେ ଗାଁ, ପଞ୍ଚାୟତ ଓ ବ୍ଲକସ୍ତରରେ ଲାଗି କମିଟି ଗଠନ ହେବ । କମିଟି ସଚେତନତା ସହ ତଥ୍ୟ ସଂଗ୍ରହ ଓ ଅନ୍ୟ ଜୀବିକା ପ୍ରୋତ୍ସାହନରେ ଲାଗିବ । ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା, ପଞ୍ଚାୟତିରାଜ ଓ ପାନୀୟ ଜଳ ପ୍ରମୁଖ ସଚିବ ଅଶୋକ ମୀନା, କୃଷି ସଚିବ ସୁରେଶ ବଶିଷ୍ଠ ପ୍ରମୁଖ ଉପସ୍ଥିତ ଥିଲେ ।






