ନୟାଗଡ଼,(ବାଘୁଆବାର୍ତ୍ତୀ): ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଛି । ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ଗ୍ରାମକୁ ପାଇପ ଲାଇନ ବିଛାଯାଇଛି, ଷ୍ଟାଣ୍ଡପୋଷ୍ଟ ମଧ୍ୟ ଅଛି । ମାତ୍ର ଷ୍ଟାଣ୍ଡପୋଷ୍ଟରେ ପାନୀୟ ଜଳ ଉପଲବ୍ଧ ହେଉନାହିଁ । ଫଳରେ ନୟାଗଡ ଜିଲ୍ଲା ଭାପୁର ବ୍ଳକ ବାଇଗୁଣିଆଁ ପଂଚାୟତ ଅଧିନ କେଶରସିଂ ନୂଆସାହି ଗ୍ରାମର ବାସିନ୍ଦା ସାଂପ୍ରତିକ ପରିସ୍ଥିତିରେ ପାନୀୟ ଜଳ ମୁନ୍ଦେ ସଂଗ୍ରହ ନିିମନ୍ତେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି । ଫଳରେ ମହିଳାମାନେ ଗ୍ରାମ ନିକଟରେ ଅବସ୍ଥିତ ଦୋସ୍କରୀବନ୍ଧ ପୋଖରୀରୁ ପାନୀୟ ଜଳ ସଂଗ୍ରହ କରି ଚଳୁଥିବା ଜଣାପଡିଛି । ପୋଖରୀର ଗୋଳିଆ ପାଣିକୁ ପାନୀୟ ଜଳ ରୂପେ ଗ୍ରାମବାସୀମାନେ ବ୍ୟବହାର କରୁଛନ୍ତି । କେହି କେହି ଗ୍ରାମବାସୀ ପୋଖରୀ ନିକଟରେ ଥିବା ଏକ ନଳକୂପରୁ ପାଣି ସଂଗ୍ରହ କରୁଛନ୍ତି । ମାତ୍ର ନଳକୂପର ପାଣି ଫ୍ଲୋରାଇଡ୍ ଯୁକ୍ତ ହୋଇଥିବାରୁ ଗ୍ରାମବାସୀମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗ୍ରାମବାସୀଙ୍କ ସୂଚନା ମୁତାବକ ଗତ ୫ ବର୍ଷ ତଳେ ଲକ୍ଷାଧିକ ଟଙ୍କା ବ୍ୟୟରେ ପାନୀୟ ଜଳ ପ୍ରକଳ୍ପ ପମ୍ପ ହାଉସରୁ ଉକ୍ତ ଗ୍ରାମକୁ ପାଣି ପାଇପ ଲାଇନ ବିଛାଯାଇଥିଲା । ଗ୍ରାମର ମଧ୍ୟ ଭାଗରେ ୩ଟି ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଯାଇଥିଲା । ମାତ୍ର ପରବର୍ତୀ ସମୟରେ ପାଇପ ଲାଇନ ଯୋଗେ ପାନୀୟ ଜଳ ନମିଳିବାରୁ ଅସନ୍ତୋଷ ପ୍ରକାଶପାଇଥିଲା । ସ୍ଥାନୀୟ ବାସିନ୍ଦା ଏ ସଂପର୍କରେ ପଂଚାୟତ କର୍ତୃପକ୍ଷ, ଭାପୁର ବ୍ଳକ କର୍ତୃପକ୍ଷ ଓ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୈାଣସି ସୁଫଳ ମିଳିନଥିବା ଅଭିଯୋଗ ହେଉଛି । ପାହାଡିଆ, ଜଳକିଷ୍ଟ ଅଂଚଳ ରୁପେ ଜଣାଶୁଣା କେଶରସିଂ ନୂଆସାହି ବାସିନ୍ଦାଙ୍କୁ ପାଇପ ଲାଇନ ଯୋଗେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ଦାବି ହେଉଛି ।






