ଭୁବନେଶ୍ଵର, (ବାଘୁଆବାର୍ତ୍ତା): ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ୧ କୋଟି ଛୁଇଁବ ଡ଼ବଲ ଡୋଜ୍ ଟିକାକରଣ। ବର୍ତ୍ତମାନ ସୁଦ୍ଧା ୩ କୋଟି ୪୦ ଲକ୍ଷ ୭୪ ହଜାର ୪୫୦ ଜଣ ଟିକା ନେଇଛନ୍ତି। ୨ କୋଟି ୪୧ ଲକ୍ଷ ୫୧ ହଜାର ୬୦୫ ଜଣ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ପ୍ରାୟ ୭୮ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ସେହିପରି ୯୯ ଲକ୍ଷ ୨୨ ହଜାର ୮୪୫ ଜଣ ଉଭୟ ଡୋଜ୍ ଟିକା ନେଇଛନ୍ତି। ପ୍ରାୟ ୩୨ ପ୍ରତିଶତ ଉଭୟ ଡୋଜ୍ ନେଇଛନ୍ତି। ବର୍ତ୍ତମାନ ୨୫ ଲକ୍ଷ ୬୨ହଜାର ୯୧୦ ଡୋଜ୍ ଟିକା ଉପଲବ୍ଧ ଅଛି। ଦ୍ଵିତୀୟ ଡୋଜ୍ ନେବାକୁ ୨୪ ଲକ୍ଷ ଲୋକ ବାକି ଅଛନ୍ତି। ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍ ଦେବା ଲକ୍ଷ୍ୟ ରହିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ବିଜୟ ପାଣିଗ୍ରାହୀ ପୁଣି କହିଛନ୍ତି ଯେ, ବ୍ରହ୍ମପୁର ଓ ଭୁବନେଶ୍ୱର ମୁନିସିପାଲଟି ସହ ରିଆମାଲ, ଟିକାବାଲି, ରାଇକିଆ, ଜି ଉଦୟଗିରି, ବେଳଗୁଣ୍ଠା ବ୍ଲକରେ ପ୍ରଥମ ଡୋଜ୍ ଟିକାକରଣ ଶତ ପ୍ରତିଶତ ହୋଇଛି। ୩୫୪୦ ଗାଁରେ ବି ଶତପ୍ରତିଶତ ପ୍ରଥମ ଡୋଜ ଟିକାକରଣ ହୋଇଛି। ଯେଉଁମାନେ ଦ୍ଵିତୀୟ ଡୋଜ୍ ଟିକା ନେଇନାହାନ୍ତି ବାରମ୍ବାର ମେସେଜ ଯାଉଛି, ଫୋନ କରାଯାଇଛି। ଯେଉଁମାନେ ଟିକାକରଣ କେନ୍ଦ୍ରକୁ ଆସିବାକୁ ସମ୍ପୂର୍ଣ୍ଣ ଅସମର୍ଥ ସେମାନଙ୍କୁ ଘରେ ଟିକା ଦିଆଯାଉଛି। ଆରଏମଆରସି ଷ୍ଟଡି ଅନୁସାରେ ଲୋକଙ୍କ ଦେହରେ ଭଲ ଆଣ୍ଟିବାଡି ଅଛି। ଦ୍ଵିତୀୟ ଡୋଜ୍ ଟିକା ନେବା ପରେ ଲୋକଙ୍କୁ ସୁରକ୍ଷା ମିଳୁଛି। ୧୪ ଦିନ ପରେ ଟିକା ଅଧିକ ସୁରକ୍ଷା ଦେଉଛି।






