ଇଂଲଣ୍ଡ, (ବାଘୁଆବାର୍ତ୍ତା): ତାଲିବାନ କାବୁଲ ଦଖଲ କରିବା ପରଠାରୁ ଆଫଗାନିସ୍ତାନରେ ଅସ୍ୱାଭିବକ ପରିସ୍ଥିତି ଉପୁଜିଛି। ହଜାର ହଜାର ନାଗରିକ କିଏ କାହା ବାଟରେ ଦେଶ ଛାଡି ଚାଲିଯାଉଛନ୍ତି। ଅନେକ ଲୋକେ ଏବେବି କାବୁଲ ବିମାନ ବନ୍ଦରରେ ଦେଶଛାଡିବାକୁ ଅପେକ୍ଷା କରି ରହିଛନ୍ତି। ଏଥିରେ ଲୋକଙ୍କୁ ଏବେ ଦେଶରୁ ବାହାର କରି ହେଉ ନଥିବା ବେଳେ ବ୍ରିଟିଶ ସେନାର ଜନୈକ ପୂର୍ବତନ ସୈନିକ ଆଫଗାନିସ୍ତାନରେ ବୁଲା କୁକୁର, ବିଲେଇ ଓ ଗଧଙ୍କ ଲାଗି ଚଳାଇଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନର ସବୁ ପ୍ରାଣୀଙ୍କୁ ସାଙ୍ଗରେ ନେଇ ଇଂଲଣ୍ଡରେ ପହଞ୍ଚିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପଲ ପେନ ଫାର୍ଥିଂ ନାମକ ବ୍ରିଟିଶ ମେରାଇନର ଏହି ସୈନିକ ୨୦୦୦ ଦଶକର ମଧ୍ୟବର୍ତ୍ତି କାଳରେ ଆଫଗାନିସ୍ତାନର ନୌଜାଦ୍ରେ ‘ଫାର୍ଥିଂ ଆନିମଲସ’ ନାମରେ ଏକ ଚାରିଟି ଚଳାଇଥିଲେ। ଏଥିରେ ଅଗଷ୍ଟ ୧୫ ତାରିଖରେ ତାଲିବାନ କାବୁଲ ଦଖଲ କରିବା ପରଠାରୁ ଫାର୍ଥିଂ ତାଙ୍କ ସଂସ୍ଥାର ଅନ୍ତେବାସୀ ଏ କର୍ମଚାରୀଙ୍କର ବ୍ରିଟେନ ସ୍ଥାନାନ୍ତରଣ ଲାଗି ପଦକ୍ଷେପ ନେଇଥିଲେ। ଏଥିଲାଗି ଅପରେସନ ଆର୍କ ନାମରେ ମିଶନ ହାତକୁ ନେଇଥିଲେ। ଏଥିରେ ସେ କର୍ମଚାରୀଙ୍କ ଲାଗି ବ୍ରିଟେନ ଭିସା ମଧ୍ୟ ହାସଲ କରିଥିଲେ। କାବୁଲ ବିମାନ ବନ୍ଦରରେ ବିସ୍ଫୋରଣର କିଛି ଘଣ୍ଟା ପୂର୍ବରୁ ସେ ନିଜର କର୍ମଚାରୀ ଓ ପ୍ରାଣୀଙ୍କ ସହ କାବୁଲ ବିମାନ ବନ୍ଦରରେ ପହଞ୍ଚିଥିଲେ। ତେବେ ସେଦିନ ବ୍ରିଟେନ ଯିବା ଲାଗି ତାଙ୍କୁ ଅଟକାଇ ଦିଆଯିବାରୁ ସେ ବିମାନ ବନ୍ଦରରୁ ଫେରି ଯାଇଥିଲେ। ଏହି ଘଟଣା ଲାଗି ସେ ବ୍ରିଟିଶ ପ୍ରଶାସନ ଉପରେ କ୍ଷୁବ୍ଧ ହୋଇଥିଲେ। ତେବେ ପରେ ସେ ନିଜ ବ୍ୟୟରେ ନିଜ ପାଳିତ ଓ କର୍ମଚାରୀଙ୍କୁ ନେଇଯିବା ଲାଗି କହିବାରୁ ତାଙ୍କୁ ଘରୋଇ ଚାର୍ଟର ବିମାନ ଅନୁମତି ମିଳିଥିଲା। ଏଥିଲାଗି ସେ ବିମାନ ବନ୍ଦର ପହଞ୍ଚିଥିବା ବେଳେ କର୍ତ୍ତୃପକ୍ଷ ତାଙ୍କ କର୍ମଚାରୀଙ୍କୁ କାବୁଲରେ ଅଟକାଇ ଦେଇଛନ୍ତି। ତେବେ ଫାର୍ଥିଂ ତାଙ୍କ ପାଳିତ ବିଲେଇ ଓ କକୁରଙ୍କ ସହ ହେଥ୍ରୋରେ ଅବତରଣ କରିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରସଙ୍ଗରେ ବ୍ରିଟେନ ରକ୍ଷା ବିଭାଗ ଏହା ସମ୍ପୂର୍ଣ୍ଣ ଘରୋଇ ବ୍ୟାପାର କହି ପ୍ରସଙ୍ଗରୁ ନିଜକୁ ଦୂରେଇ ନେଇଛନ୍ତି। ତେବେ ଲୋକେ ବିଲେଇ କୁକୁରଙ୍କ ସ୍ଥାନରେ ମଣିଷଙ୍କୁ ପାର୍ଥିଂ ଆଣିପାରିଥାନ୍ତେ ବୋଲି ପ୍ରଶ୍ନ ଉଠାଇଛନ୍ତି। ପାର୍ଥିଂ ଏଥିପାଇଁ ତାଙ୍କ ଦ୍ୱାରା ଯାହା ସମ୍ଭବ ତାହା କରିଥିଲେ ବୋଲି କହିଛନ୍ତି। ତେବେ କର୍ତ୍ତୃପକ୍ଷ ଲୋକଙ୍କୁ ବିମାନ ବନ୍ଦରକୁ ପ୍ରବେଶ କରାଇ ଦେଇ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ହେଲେ ପାର୍ଥିଂକ ପଦକ୍ଷେପକୁ ପ୍ରାଣୀପ୍ରେମୀମାନେ ଉଚ୍ଚ ପ୍ରଶଂସା କରିଛନ୍ତି।





