ନୟାଗଡ,(ବାଘୁଆବାର୍ତ୍ତା): ନୟାଗଡରେ ଜିଲ୍ଲା ରେଡକ୍ରସ ଓ ରେଡକ୍ରସ ଭଲ୍ୟୁଣ୍ଟିୟର୍ସ ଫୋରମଙ୍କ ମିଳିତ ଆନୁକୂଲ୍ୟରେ ଗୁରୁବାର ଦିନ ଜିଲ୍ଲାପାଳଙ୍କ ନିର୍ଦେଶାନୁସାରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି I ସକାଳୁ ଜନ ସଚେତନତା ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ନେଇ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଓ ପୁନର୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା I

ସଭା କାର୍ଯ୍ୟ ସକାଳ ୮ ଘଟିକା ସମୟରେ ଅନୁଷ୍ଠିତ ହେବା ସହ ୯ ଘଟିକା ସମୟରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା I ଏହି ସଭାରେ ନୟାଗଡ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, ରୋଜିନା ଦାସ , ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ସୁବାସ ପଣ୍ଡା, ଡି.ପି.ଏଚ.ଓ. ଡା. ପୁଷ୍ପା ନୀଳିମା ଲାକ୍ରା, ଡେପୁଟି କଲେକ୍ଟର, ମନିଷା ଗୁପ୍ତା, ଇ.ନ.ଟି. ସ୍ପେସିଆଲିଷ୍ଟ ଡା. ପିତବାସ ନାୟକ, ରେଡକ୍ରସ ଭଲ୍ୟୁଣ୍ଟିୟର୍ସ ଫୋରମ କନଭେନର, ସୁନିତା ରାଣୀ ମହାପାତ୍ର ଆଦି ଯୋଗ ଦେଇଥିଲେ I

ସମାଜ ପ୍ରତି ସେବା ମନୋଭାବ ରଖୁଥିବା କିଛି ସମାଜସେବୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା I ରକ୍ତଦାନ ଶିବିରରେ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା I ଡି.ପି .ଓ. ଅଶୋକ ରଥ ସଭାକାର୍ଯ୍ୟ ପରିଚାଳନା କରିଥିଲେ ଓ ରେଡକ୍ରସ ଭଲ୍ୟୁଣ୍ଟିୟର୍ସ ଫୋରମର ମୁଖ୍ୟ ପରାମର୍ଶଦାତା ବିଭୁତି ଭୂଷଣ ପଟ୍ଟନାୟକ ସମସ୍ତ ଦାୟିତ୍ୱ ବହନ କରି ସୁଚାରୁ ରୂପେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ I






