ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ଜାତୀୟ ପଞ୍ଚାୟତିରାଜ୍ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ପୁରୀଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମାରୋହର ସିଧା ପ୍ରସାରଣ କରାଯାଇଥିବା ବେଳେ ନୟାଗଡ଼ରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ୍ ଦିବସ ସମାରୋହ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାରଙ୍କର ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ ଏହାକୁ ଉଦ୍ଘାଟନ କରିଥିଲେ । ଏଥିରେ କନ୍ଧମାଳ ସାଂସଦ କନ୍ଧମାଳ ସୁକାନ୍ତ କୁମାର ପାଣିଗ୍ରାହୀ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଲଗ୍ନଜିତ୍ ରାଉତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ କରାଯିବା ପରେ ପରେ ଅତିଥିଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗ୍ୟ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ବଣ୍ଟନ କରାଯାଇଥିଲା । ଏହା ସହିତ ପଞ୍ଚାୟତ ସ୍ତରରେ ସରକାରଙ୍କର ବିଭିନ୍ନ ଯୋଜନା ଯଥା-ଲକ୍ଷପତି ଦିଦି, ସ୍ୱଚ୍ଛ ପରିବେଶ ଇତ୍ୟାଦିରେ ଉଲ୍ଲେଖନୀୟ କାର୍ଯ୍ୟକରି ବିଭିନ୍ନ ଗ୍ରାମ ପଞ୍ଚାୟତକୁ ପୁରସ୍କୃତ କରାଯାଇଛି । ପ୍ରାରମ୍ଭରେ ମନ୍ତ୍ରୀ ତାଙ୍କ ଅଭିଭାଷଣ ଦେଇ କହିଲେ, କ୍ଷମତାକୁ ବିକେନ୍ଦ୍ରୀକରଣ, ଗ୍ରାମର ବିକାଶ ହେଲେ ଓଡ଼ିଶାର ବିକାଶ ସମ୍ଭବ, ଜୀବନଶୈଳୀରେ ଉନ୍ନତି ପାଇଁ ପଞ୍ଚାୟତକୁ ପ୍ରାଧାନ୍ୟ ଦେବା ପାଇଁ ସେ କହିଥିଲେ । ଭାରତର ଆତ୍ମା ଗାଁରେ ଅଛି ।

ତେଣୁ ମହିଳାଙ୍କୁ ଆତ୍ମନିର୍ଭର ଏବଂ ଲୋକାଭିମୁଖୀ କରିବାକୁ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ । ଏହା ପରେ ପରେ ସାଂସଦ ଅଭିଭାଷଣରେ କହିଲେ, ପ୍ରତ୍ୟେକ ଯୋଜନା ସେତେବେଳେ ସଫଳ ହେବ ଯେତେବେଳେ ଆମେ ଚାହିଁବା । ଆମମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଆମକୁ ଆତ୍ମ ସମୀକ୍ଷା କରିବାକୁ ପଡ଼ିବ । ଖଣ୍ଡପଡ଼ା ବିଧାୟକ ରାସନକାର୍ଡ କିପରି ସମସ୍ତଙ୍କ ପାଖରେ ସଠିକ୍ ଭାବରେ ପହଞ୍ôଚପାରିବ ତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ତାଙ୍କ ବକ୍ତବ୍ୟରେ କହିଲେ, ପଞ୍ଚାୟତରାଜ ଦିବସର ଉଦ୍ଦେଶ୍ୟ ହେଉଛି ପଞ୍ଚାୟତ ସ୍ତରରେ ଉନ୍ନତି କରିବା ।

ଜିଲ୍ଲାରେ ଭଲ କାମ କରିଥିବା ଯୋଗ୍ୟ ବିବେଚିତ ପଞ୍ଚାୟତଙ୍କୁ ପୁରସ୍କୃତ କରାଯିବା ଦରକାର । ସେହିପରି ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ ଜିଲ୍ଲାରେ ୩୦ ପ୍ରତିଶତ ଧାନକିଣାରେ ବୃଦ୍ଧି ହୋଇଛି ଏବଂ ୫୨ ହଜାରରୁ ଉର୍ଦ୍ଧ୍ୱ ଚାଷୀଙ୍କ ଠାରୁ ଧାନ କିଣା ହୋଇଛି ବୋଲି କହିଥିଲେ । ନୂଆ ରାସନକାର୍ଡ ପାଇବା ପାଇଁ ୩୧୭ ପରିବାର ତାଲିକା ଭୁକ୍ତ ହୋଇଛନ୍ତି ଏବଂ ୮୧୬୧ ନୂଆ ରାସନକାର୍ଡ କିଛି ଦିନ ମଧ୍ୟରେ ଦିଆଯିବ । ଆଜି ଦିବସ ଉପଲକ୍ଷେ ଜିଲ୍ଲାର ବିଭିନ୍ନ ବ୍ଲକରେ ୨୩୧ଟି ରେସନ୍ କାର୍ଡ ବଣ୍ଟନ କରାଯାଇଛି ।






