ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଏବେ ରାଜନୈତିକ ପଶାପାଲ୍ଲୀ ପାଲଟିଛି । ବିଜେପି ସରକାରଙ୍କ ପରୋକ୍ଷ ସମର୍ଥନ ଏବଂ ବିଜେପି ନେତାଙ୍କ ଚାପରେ ଚାପଗ୍ରସ୍ତ ହୋଇ ପରିଚାଳନା ପରିଷଦକୁ କୋଣଠେସା କରିବାକୁ ପ୍ରୟାସ କରାଯାଉଛି । ରାଜ୍ୟ ସମବାୟ ନିବନ୍ଧକ ପରିଚାଳନା ପରିଷଦକୁ ନିଲମ୍ବନ ଆଦେଶ ଉପରେ ଉଚ୍ଚ ନ୍ୟାୟାଳୟ ସ୍ଥଗିତାଦେଶ ଲଗାଇବା ପରେ ଏବେ ପିଛିଲା ତାରିଖ ପକାଇ ବ୍ୟାଙ୍କ ସମ୍ପାଦକ ସାଧାରଣ ସଭା ପାଇଁ ଆହ୍ୱାନ କରିଥିଲେ । ଆସନ୍ତା ୧୯ ତାରିଖରେ ସୃଜନ ଗୃହରେ ସଭା କରିବାକୁ ଆହ୍ୱାନ କରାଯାଇଥିବା ବେଳେ ୧୨ ତାରିଖରେ ପ୍ୟାକ୍ସ ଗୁଡ଼ିକରେ ଚିଠି ପହଞ୍ଚିଥିଲା । ନିୟମ ଅନୁସାରେ ୧୫ ଦିନ ପୂର୍ବରୁ ଏହି ନୋଟିସ ତଥା ଚିଠି ପହଞ୍ଚିବା କଥା । ମାତ୍ର ଚିଠିରେ ପିଛିଲା ତାରିଖ ପକାଇ ନୋଟିସ କରାଯାଇଥିଲା । ଯାହାକୁ ନେଇ ଗତ କାଲି ଶତାଧିକ ପ୍ୟାକ୍ସ ପରିଚାଳନା ପରିଷଦ ଏବଂ ବ୍ୟାଙ୍କ ପରିଚାଳନା ପରିଷଦ ବିରୋଧ କରିଥିଲେ । ବ୍ୟାଙ୍କ ସମ୍ପାଦକ କରିଥିବା ହୀନ ଚକ୍ରାନ୍ତ ବିରୁଦ୍ଧରେ ଶତାଧିକ ପ୍ୟାକ୍ସ ସଭାପତିଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳ, ସମବାୟ ସମିତି ସମୂହ ଉପ ନିବନ୍ଧକଙ୍କୁ ପ୍ରଦାନ କରିଥିଲେ । ନୟାଗଡ଼ ବ୍ୟାଙ୍କ ଅଧିନରେ ୧୪୭ଟି ପ୍ୟାକ୍ସ ରହିଥିବା ବେଳେ ଦୁଇ ତୃତୀୟାଂଶ ପ୍ୟାକ୍ସ ସାଧାରଣ ସଭା ଆୟୋଜନ ନିୟମ ଅନୁସାରେ ହୋଇନଥିବା ଅଭିଯୋଗ କରିଛନ୍ତି । ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଅନୁସାରେ, ବ୍ୟାଙ୍କ ଆର୍ଥିକ କ୍ଷମତା ଜିଲ୍ଲାପାଳଙ୍କ ହାତକୁ ଯାଇ ସାରିଛି । ପରିଚାଳନା ପରିଷଦ ପୂର୍ବଭଳି ଦାୟିତ୍ୱ ସମ୍ପାଦନ କରିବା କଥା । ମାତ୍ର ପରିଚାଳନା ପରିଷଦକୁ କୋଣଠେସା କରାଯାଇଥିଲା । ସାଧାରଣ ସଭାକୁ ବାତିଲ କରି ପରିଚାଳନା ପରିଷଦ ସହ ଆଲୋଚନା ପରେ ବୈଠକ ଆୟୋଜନ କରିବାକୁ ଦାବି କରାଯାଇଥିଲା । ଯଦି ସାଧାରଣ ସଭା କରାଯାଏ, ତେବେ ଏହାକୁ ଜୋରଦାର ବିରୋଧ କରାଯିବ ବୋଲି ସୂଚନା ଦେଇଥିଲେ । ଆଜି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଆସନ୍ତାକାଲି ହେବାକୁ ଥିବା ସାଧାରଣ ସଭା ବୈଠକକୁ ବାତିଲ କରିଛନ୍ତି ।





