ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ପୁଲିସ ବିଭାଗ ପକ୍ଷରୁ ଆଜି ଚଳିତ ବର୍ଷର ଜିଲ୍ଲା ପୁଲିସ ପୁରସ୍କାର ପ୍ରଦାନ କରିଛି । ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପୁଲିସ ମୁଖ୍ୟାଳୟରେ ୫ ଜଣ ପୁଲିସ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ଗଣିଆ ଥାନାରେ କାର୍ଯ୍ୟରତ ଏସ୍ଆଇଙ୍କୁ ନିଆରା ଢଙ୍ଗରେ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ଜିଲ୍ଲାର ଶ୍ରେଷ୍ଠ ଏସ୍ଆଇ ପୁରସ୍କାର ପାଉଥିବା ବ୍ୟକ୍ତିଙ୍କ ନାମକୁ ଅତ୍ୟନ୍ତ ଗୁପ୍ତ ରଖି ଆରକ୍ଷୀ ଅଧିକ୍ଷକ ହଠାତ୍ ଗଣିଆ ଥାନାରେ ଆଜି ପହଂଚିଥିଲେ । ଥାନାର ଭଲମନ୍ଦ ପଚାରି ବୁଝିଥିଲେ । କିଛି ସମୟ ଥାନା ଅଧିକାରୀ ଦୀପକ ଖଣ୍ଡାୟତରାୟଙ୍କ ସହ ଆଇନଶୃଙ୍ଖଳା ଆଲୋଚନା କରିବା ପରେ ଏସ୍ପି ହଠାତ୍ ଥାନାରୁ ଚାଲି ଆସିଥିଲେ । କିଛିବାଟ ଆସିବା ପରେ ଏସ୍ପି ଥାନା ଏସ୍ଆଇଙ୍କୁ ବିସ୍ମିତ କରିବା ପାଇଁ ଫୋନ ମାଧ୍ୟମରେ ଦିପକ ତୁମ ଟେବୁଲ ଉପରେ ଏକ ପ୍ୟାକେଟ ଥୁଆ ହୋଇଛି, ଖୋଲି ଦେଖ ବୋଲି କହିଥିଲେ । ଏହାକୁ ଖୋଲିବା ପରେ ଏସ୍ଆଇ ଚକିତ ହୋଇ ଯାଇଥିବା ଜଣାଯାଇଛି । ଏହି ପ୍ୟାକେଟ୍ରେ ତାଙ୍କୁ ଜିଲ୍ଲା ପୁଲିସ ଚଳିତ ବର୍ଷ ପାଇଁ ଶ୍ରେଷ୍ଠ ଏସ୍ଆଇ ଭାବେ ପୁରସ୍କୃତ କରାଯାଇଥିବାର ମାନପତ୍ର ଏବଂ ଅନ୍ୟାନ ଜିନିଷ ରହିଥିବା ଜାଣିଥିଲେ । ଯାହାକୁ ନେଇ ଏସ୍ଆଇ ଏସ୍ପିଙ୍କ ମହନୀୟତାକୁ ଭୂରି ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପକ୍ଷେ, ଏସ୍ପି ପୂର୍ବରୁ କହିଥିବା ତାଙ୍କ କଥା ଆଜି ପ୍ରମାଣିତ ହୋଇଛି । ଥାନା ଅଧିକାରୀ ମୋ ପାଖକୁ ନୁହେଁ, ମୁଁ ଥାନାକୁ ଯିବି ବୋଲି ଆସିବା ଦିନରୁ ଏସ୍ପି କହି ଆସିଛନ୍ତି ।





