ଭୁବନେଶ୍ୱର, (ବାଘୁଆବାର୍ତ୍ତା): ହକି ଇଣ୍ଡିଆ ସଭାପତି ପଦବୀ ପାଇଁ ନାମାଙ୍କନ ଭରିଲେ ଓଡ଼ିଆ ହକି ଲିଜେଣ୍ଡ ଦିଲ୍ଲୀପ ତିର୍କି। ଆସନ୍ତା ୧ ତାରିଖରେ ହେବ ହକି ଇଣ୍ଡିଆର ନିର୍ବାଚନ। ନାମାଙ୍କନ ଭରିଥିବା ନେଇ ଟୁଇଟରରେ ସୂଚନା ଦେଲେ ଦିଲୀପ ତିର୍କୀ। ଭାରତୀୟ ଦଳର ପୂର୍ବତନ ଅଧିନାୟକ ଭାବେ ଅନେକ ରେକର୍ଡ କରିଛନ୍ତି ଦିଲୀପ। ତେଣୁ ତାଙ୍କ ନାମାଙ୍କନକୁ ନେଇ ଅଲୋଚନା ଜୋର ଧରିଛି। ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ଆଜି ଶେଷ ତାରିଖରେ ନାମାଙ୍କନ କରିଛି। ହକି ଇଣ୍ଡିଆର ସଭାପତି ହେଲେ ସେ ଭାରତୀୟ ହକିକୁ ଅଧିକ ମଜଭୂତ କରିବେ। ବିଶ୍ୱରେ ଭାରତୀୟ ହକି ଦଳର ଖେଳ ଆଗରେ ରହିବାକୁ ପ୍ରୟାଶ କରିବେ। ଜୁନିଅର ଓ ସବ୍ଜୁନିଅର ହକି ଦଳର ଟ୍ରନିଂକୁ ଅଧିକ ମଜଭୂତ କରିବେ। ହକି ସିନିୟର ଟିମ୍ ଓ ମହିଳା ଟିମ୍ର ପରଫରମାନ୍ସ ଅଧିକ ଭଲ କରିବାକୁ ଚେଷ୍ଟା କରିବେ। ଅନ୍ୟମାନେ ହକି ଇଣ୍ଡିଆ ସଭାପତି ପଦ ପାଇଁ ନାମାଙ୍କନ ଫାଇଲ କରିଛନ୍ତି। ତେବେ ସେ ବାବଦରେ ବିସ୍ତୃତ ଭାବେ ଜାଣି ନାହାନ୍ତି। ଆଶା ରହିଛି, ନିର୍ବାଚନରେ ନର୍ଥ-ଇଷ୍ଟ ଭାରତୀୟ ହକି ସଂଘ ଯଥା ଆସାମ, ମିଜୋରାମ, ପଶ୍ଚିମବଙ୍ଗ ପ୍ରମୁଖ ତାଙ୍କ ସପକ୍ଷରେ ଭୋଟ ଦେବେ। କାରଣ ଭାରତୀୟ ହକି ପାଇଁ ଓଡ଼ିଶା ହକିର ଅବଦାନ ଅଧିକ ରହିଥିବା ସମସ୍ତ ଜାଣିଛନ୍ତି। ସେ ଏବେ ହକି ଆସୋସିଏସନ୍ ଅଫ ଓଡ଼ିଶାର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ତେଣୁ ଗୋଟିଏ କଦମ ଆଗକୁ ଯାଇ ହକି ଇଣ୍ଡିଆ ସଭାପତି ପଦବୀ ପାଇଁ ନିର୍ବାଚନ ଲଢ଼ୁଛନ୍ତି।






