ଧଉଳି, (ବାଘୁଆବାର୍ତ୍ତା): ସ୍ୱାମୀ ଜେଲ୍ରେ । ଏହାର ସୁଯୋଗ ନେଇ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଧଉଳି ଥାନା ପୁଲିସ୍ ଜଣଙ୍କୁ ଗିରଫ କରିଛି । ସେ ହେଲେ ଜଗତସିଂହପୁର ଅଞ୍ଚଳର ୨୪ ବର୍ଷର ସ୍ମୃତି ରଞ୍ଜନ ସ୍ୱାଇଁ । ଶୁକ୍ରବାର ଅପରାହ୍ଣରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତ (ଝାରପଡା ଜେଲ୍)କୁ ପଠାଇ ଦିଆଯାଇଛି । ପୀଡ଼ିତା ଜଣଙ୍କ ହେଉଛନ୍ତି ରେବତୀ ନଗର ଅଞ୍ଚଳର । ତାଙ୍କ ସ୍ୱାମୀ ଏକ ଅପରାଧିକ ମାମଲାରେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଅଛନ୍ତି । ଏହାର ଫାଇଦା ନେଇ ଅଭିଯୁକ୍ତ ସ୍ମୃତିରଞ୍ଜନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତ ୧୯ ତାରିଖରେ କେହି ନଥିବାର ସୁଯୋଗରେ ମହିଳାଙ୍କ ଘରେ ବଳପୂର୍ବକ ପଶିଥିଲେ । ସେଠାରେ ସ୍ମୃତିରଞ୍ଜନ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ତା’ପର ଦିନ ଏନେଇ ମହିଳା ଜଣଙ୍କ ଧଉଳି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମାମଲାର ତଦନ୍ତ କରି ଉଭୟଙ୍କୁ ଡାକ୍ତରୀ ମାଇନା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା । ଏବେ ମାମାଲର ତଦନ୍ତ ଚାଲିଛି । ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ ।





