ଚେନ୍ନାଇ, (ବାଘୁଆବାର୍ତ୍ତା): ଟୋକିଓ ଅଲିମ୍ପିକରେ ତାର ଜୟଯାତ୍ରା ଶେଷ କରିଛି ଭାରତ । ଅଲିମ୍ପିକରେ ଭାରତୀୟ ଆଥ୍ଲେଟମାନେ ବେଶ ପ୍ରଭାବିତ କରିଛନ୍ତି । ଗୋଟିଏ ସ୍ବର୍ଣ୍ଣ ପଦକ ସହ ମୋଟୂ୭ଟି ମେଡାଲ ଜିତିଛି ଭାରତ । ଅଲିମ୍ପିକରେ ଭାଗ ନେଇଥିଲେ ତାମିଲନାଡୁ ଆଥ୍ଲେଟ ଶୁଭା ଭେଙ୍କଟେସନ୍ ଏବଂ ଧନଲକ୍ଷ୍ମୀ ଶେଖର । ଉଭୟ ଟୋକିଓରୁ ଫେରି ଶନିବାର ଜନ୍ମସ୍ଥାନରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ସ୍ବାଗତ କରାଯାଇଥିଲା । ଅଲିମ୍ପିକରେ ଶୁଭା ଭେଙ୍କଟେସନ୍ ଏବଂ ଧନଲକ୍ଷ୍ମୀ ଶେଖରଙ୍କ ଯାତ୍ରା ବହୁତ କଠିନ ରହିଥିଲା । ଗଣମାଧ୍ୟମକୁ ସୂଚନା ଦେବା ସମୟରେ ଭୋ ଭୋ ହୋଇ କାନ୍ଦିପକାଇଥିଲେ ଧନଲକ୍ଷ୍ମୀ । କିଛି ସମୟ ପାଇଁ କେହି କିଛି ବୁଝି ପାରିନଥିଲେ । ଟୋକିଓ ଅଲିମ୍ପିକରେ ଥିବା ବେଳେ ଧନଲକ୍ଷ୍ମୀଙ୍କ ଭଉଣୀଙ୍କର ଦେହାନ୍ତ ହୋଇଥିଲା । ସେ କିଛି ଦିନ ହେଲା ଅସୁସ୍ଥ ଥିଲେ । କିନ୍ତୁ ସବୁଠାରୁ ବଡ କଥା ହେଉଛି ଧନଲକ୍ଷ୍ମୀଙ୍କୁ ନିଜ ଭଉଣୀଙ୍କ ଦେହାନ୍ତ ବିଷୟରେ କିଛି ଜଣାଇନଥିଲେ ପରିବାର ଲୋକେ । କାରଣ ପରିବାର ଲୋକେ ଚାହୁଁନଥିଲେ ଅଲିମ୍ପିକ ଖେଳିବାକୁ ଯାଇଥିବା ଧନଲକ୍ଷ୍ମୀଙ୍କ ଉପରେ କୌଣସି ଚାପ ରହୁ । ଭାରତରେ ପହଞ୍ଚିବା ପରେ ତାଙ୍କୁ ଘଟଣା ବାବଦରେ ଜଣାଯାଇଥିଲା । ହଠାତ୍ ଭଉଣୀଙ୍କ ଦେହାନ୍ତ ଖବର ଶୁଣି ଆବାକ୍ ହୋଇଯାଇଥିଲେ ସେ । ଭୋ ଭୋ ହୋଇ କାନ୍ଦିଥିଲେ ଧନଲକ୍ଷ୍ମୀ । ତାମିଲନାଡୁରୁ ଟୋକିଓ ଅଲିମ୍ପିକକୁ ପ୍ରତିନିଧିତ୍ବ କରିଥିବାରୁ ରାଜ୍ୟ ସରକାର ଶୁଭା ଭେଙ୍କଟେସନ୍ ଏବଂ ଧନଲକ୍ଷ୍ମୀ ଶେଖରଙ୍କୁ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେମାନେ । ପୂର୍ବରୁ ତାମିଲନାଡୁରୁ ବେଶି ଖେଲାଳି ଅଲିମ୍ପିକ ଯାଇପାରିନଥିଲେ । କିନ୍ତୁ ବର୍ତ୍ତମାନ ଅନେକ ପ୍ରତିଭା ସାମ୍ନାକୁ ଆସୁଛନ୍ତି । ଆଗାମୀ ଦିନରେ ତାମିଲନାଡୁ ତଥା ସମଗ୍ର ଦେଶରୁ ଅଲିମ୍ପିକକୁ ବହୁ ପ୍ରତିଭାବାନ ଆଥ୍ଲେଟ ଭାଗ ନେବେ ବୋଲି କହିଛନ୍ତି ଧନଲକ୍ଷ୍ମୀ ଶେଖର ।






