ନୟାଗଡ଼ (ବାଘୁଆବାର୍ତ୍ତା): ରାଜ୍ୟରେ ଦିନକୁ ଦିନ ମହାମାରୀ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିବାବେଳେ ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ପୁଲିସ ଡିଜି ଅଭୟ । ରାଜ୍ୟ ସରକାରଙ୍କ କୋଭିଡ କଟକଣା ସତ୍ୱେ ଅମାନିଆ ମାନେ କୋଭିଡ କଟକଣାକୁ ହେୟଜ୍ଞାନ କରୁନଥିଲେ । ଯାହାଫଳରେ ଅମାନିଆଙ୍କଠାରୁ ଫାଇନ ଆଦାୟ କରିବା ପାଇଁ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଦେଇଥିଲେ । ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ପାଳନ କରିବାକୁ ଅପିଲ କରିଛନ୍ତି ଅଭୟ । ଏପ୍ରିଲରେ କେବଳ ଅମାନିଆଙ୍କ ଠାରୁ ମାସ୍କ ବାବଦରେ ୫କୋଟି ୨୪ଲକ୍ଷ ଟଙ୍କା ଫାଇନ ଆଦାୟ କରାଯାଇଛି । ମାସ୍କ ଓ ସାମାଜିକ ଦୂରତ୍ୱ ଭଙ୍ଗ ପାଇଁ ମୋଟ ୫.୬୬ କୋଟି ଫାଇନ ଆଦାୟ ହୋଇଛି । ଏପ୍ରିଲରେ ୩୫୦ ଦୋକାନ ଓ ଇନଷ୍ଟିଚ୍ୟୁଟ ସିଲ ହୋଇଥିବା କହିଲେ ଡିଜିପି । କୋଭିଡ ନିୟମ ଭଙ୍ଗ ପାଇଁ ୪୧୮ ଗିରଫ ହୋଇଛନ୍ତି । ୧୮ ହଜାର ଗାଡ଼ି ଜବତ ହୋଇଛି । ଏସବୁ କରିବାକୁ ଭଲ ଲାଗୁନି । ଜନସାଧାରଙ୍କ ସୁରକ୍ଷା ପାଇଁ ଏସବୁ କରୁଛୁ ବୋଲି ଡିଜିପି କହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ଦୈନିକ ହଜାର ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଲୋକାଲ କେସ ବହୁତ ରହୁଛି । ତେଣୁ କଟକ ଓ ଭୁବନେଶ୍ୱରରେ ଏବେ କରୋନାର ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି ବୋଲି ଗତକାଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଗଣମାଧ୍ୟମକୁ ବୟାନ ଦେଇଥିଲେ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଶ୍ରୀ ପାଣିଗ୍ରାହୀ ଗତକାଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଜଣେ ଏକାଧିକ ବ୍ୟକ୍ତିଙ୍କୁ ସଂକ୍ରମିତ କରୁଥିବାରୁ ସଂକ୍ରମଣ ବଢୁଛି । ସେଥିପାଇଁ ଟୁଇନପସିଟିରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି । ଏକାଧିକ ଲୋକ ବାହାରୁ ଆସୁଥିବାରୁ ଭୁବନେଶ୍ୱରରେ ସଂକ୍ରମଣ ବଢୁଛି ।






