ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀରେ ଲୋକସଂଖ୍ୟା ୧୫ଲକ୍ଷରୁ ଅଧିକ । କିନ୍ତୁ ଏହି ସଂଖ୍ୟା ପାଇଁ ସହରରେ ଅଛି ମାତ୍ର ୩ଟି ଡେଙ୍ଗୁ ପରୀକ୍ଷା କେନ୍ଦ୍ର । କେବଳ ସରକାରୀ ସୁବିଧାରେ ଥିବା ଏହି ୩ କେନ୍ଦ୍ରରେ ଡେଙ୍ଗୁ ପରୀକ୍ଷା କଲେ ହିଁ ତାହା ଗ୍ରହଣୀୟ । ଛୋଟମୋଟ ଲାବ୍ କଥା କିଏ ପଚାରେ, ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲରେ ଡେଙ୍ଗୁ ପରୀକ୍ଷା କଲେ ବି ବିଏମ୍ସି ଓ ସ୍ୱାସ୍ଥ୍ୟ ବିଭାଗ ଗ୍ରହଣ କରୁନାହାନ୍ତି । ପଟିଆ ହେଉ ବା ସାମନ୍ତରାପୁରରେ ରହୁଥିବା ଲୋକଟିଏ ଡେଙ୍ଗୁ ପରୀକ୍ଷା ପାଇଁ ଏମସ୍ ନ ହେଲେ କ୍ୟାପିଟାଲ ହସ୍ପିଟାଲକୁ ଦୌଡିବ । ପାଖରେ ଥିବା କୌଣସି ବଡ ହସ୍ପିଟାଲରେ ବି ଡେଙ୍ଗୁ ପରୀକ୍ଷା କରିବାକୁ ଯାଇ ପାରିବନି । ପରୀକ୍ଷା କଲେ ଏହାର ରିପୋର୍ଟକୁ ସରକାରୀ ସ୍ୱୀକୃତି ମିଳିବନି । ଏଭଳି ବିଚିତ୍ର ଡେଙ୍ଗୁ ମୁକାବିଲା ଚାଲିଛି ରାଜ୍ୟର ରାଜଧାନୀରେ । ଫଳରେ ଡେଙ୍ଗୁରେ ଆଖି ବୁଜିଛି ୧୫ବର୍ଷୀୟା ନାବାଳିକା । ଏହାର ମୃତ୍ୟୁର ତଦନ୍ତ ନାଁରେ ଗତ ୨ଦିନ ଧରି ଚାଲିଥିବା ତଥାକଥିତ ତଦନ୍ତ ଆଜି ସରିଛି । ଯାହା ଆଶଙ୍କା କରା ଯାଉଥିଲା ସେୟା ହୋଇଛି । ନାବାଳିକା ମୃତ୍ୟୁର କାରଣ ଡେଙ୍ଗୁ ନୁହେଁ ବୋଲି ଏକପ୍ରକାର ସ୍ପଷ୍ଟ କରାଯାଇଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି, ନାବାଳିକାଙ୍କ କିଟ୍ରେ ଡେଙ୍ଗୁ ପରୀକ୍ଷା ହୋଇଛି । ଏହାକୁ ଆମେ ଗ୍ରହଣ କରୁନୁ । ଏଲିସା ଟେଷ୍ଟ୍ ବା ଏନ୍ଏସ୍-୧ ହିଁ ଡେଙ୍ଗୁ ପାଇଁ ଗ୍ରହଣୀୟ । କୌଣସି ରକ୍ତ ନମୁନାରେ ଡେଙ୍ଗୁ ପଜିଟିଭ୍ ଆସିଲେ ସରକାରଙ୍କୁ ତାହା ପଠାଇବାକୁ ସମସ୍ତ ଘରୋଇ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି । ସେମାନେ ଏହାକୁ ମାନୁନାହାନ୍ତି । ଏପରିକି ଡେଙ୍ଗୁ ପରୀକ୍ଷା ମାଗଣାରେ କରିବା ନେଇ କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ରହିଛି । କିନ୍ତୁ କୌଣସି ହସ୍ପିଟାଲରେ ଏହା କରାଯାଉନି । ମାଗଣାରେ ଡେଙ୍ଗୁ ପରୀକ୍ଷା କରିବେ ବେଲି ଅଣ୍ଡରଟେକିଂ ଦେଲା ପରେ ଘରୋଇ ହସ୍ପିଟାଲରେ ଡେଙ୍ଗୁ ପରୀକ୍ଷା ପାଇଁ ଅନୁମତି ଦିଆଯିବ ବୋଲି ସେ କହିଛନ୍ତି । ସହରରେ ଡେଙ୍ଗୁ ମାଡୁଥିଲେ ବି ଏହାର ପରୀକ୍ଷା ଲୋକେ କିଭଳି ସୁବିଧାରେ କରିବେ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ କୌଣସି ପଦକ୍ଷେପ ନେଇନି । ଗତ କିଛି ଦିନ ଧରି ଶୈଳଶ୍ରୀବିହାର ଓ ନୀଳାଦ୍ରିବିହାରରେ ଡେଙ୍ଗୁ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଶିବିର ହୋଇଥିଲା । ଏବେ ଡେଙ୍ଗୁ ଅସମ୍ଭାଳ ହୋଇଥିଲେ ବି ଏବେ ଆଉ ନୂଆ କେନ୍ଦ୍ର କରାଯାଇନି ।





