ବୁର୍ଲା, (ବାଘୁଆବାର୍ତ୍ତା): ବୁର୍ଲା ଭିମସାର ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ଘଟଣାର ଜେନମ୍ ସିକୁଆନ୍ସି ରିପୋର୍ଟ ଆସିଛି । ଏମାନଙ୍କ ମଧ୍ୟରେ ୧୧ଟି ନମୁନାରୁ ୨ଟି ନମୂନା ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ହୋଇଥିବାବେଳେ ବାକି ୧୧ଟି ନମୁନା ଡେଲ୍ଟାର ଅନ୍ୟାନ୍ୟ ଭାରିଆଣ୍ଟ ଚିହ୍ନଟ ହୋଇଥିବା ଭିମସାର ଅଧ୍ୟକ୍ଷ ଡା. ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି । ଡେଲ୍ଟା ପୁରୁଣା ଭାରିଆଣ୍ଟ ହୋଇଥିବାରୁ ଏହାକୁ ନେଇ ଭୟଭୀତ ହେବାର କିଛି ନାହିଁ ବୋଲି ଡା. ଦୋରା ପ୍ରକାଶ କରିଛନ୍ତି । ପ୍ରଥମ ପର୍ୟ୍ୟାୟରେ ୨୧ ସଂକ୍ରମିତ ଛାତ୍ରଛାତ୍ରୀଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା । ସେଥିରୁ ୧୧ଟି ପରୀକ୍ଷା କରାଯାଇଥିବା ଜଣାପଡିଛି । ଏହି ୧୧ଟି ନମୂନାରୁ ୨ ଜଣ ଛାତ୍ରଛାତ୍ରୀଙ୍କ ଠାରେ ଡେଲ୍ଟା ଭେରିଆଣ୍ଟ ଓ ବାକି ୯ ଜଣ ଛାତ୍ରଛାତ୍ରୀଙ୍କ ଠାରେ ଡେଲ୍ଟାର ଅନ୍ୟାନ୍ୟା ଭେରିଆଣ୍ଟ ଚିହ୍ନଟ ହୋଇଛି । ଡେଲ୍ଟା ପୁରୁଣା ଭାରିଆଣ୍ଟ ହୋଇଥିବା ବେଳେ ସଂକ୍ରମିତ ଛାତ୍ରଛାତ୍ରୀ ଠାରେ ନୂଆଁ ଭାରିଆଣ୍ଟ ଚିହ୍ନଟ ହୋଇନଥିବାରୁ କିଛି ଡରିବାର ନାହିଁ ବୋଲି ଅଧକ୍ଷା ଡା. ଦୋରା କହିବା ପରେ ଡାକ୍ତର, ଛାତ୍ରଛାତ୍ରୀ, କର୍ମଚାରୀ ଓ ବୁର୍ଲାର ଜନସାଧାରଣଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି । ସତର୍କତା ଏବଂ କଟକଣା ମାନି ରହିବା ନିହାତି ଜରୁରୀ ବୋଲି କହିଛନ୍ତି ଡା.ଜୟଶ୍ରୀ ଦୋରା । କିଛିଦିନ ପୂର୍ବରୁ ଭିମସାରରେ ଏମ୍ବିବିଏସ୍ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ପର୍ୟ୍ୟାୟରେ କିଛି ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ପରବର୍ତ୍ତି ସମୟରେ ଏହି ସଂଖ୍ୟା ବଢି ଶତକ ପାଖାପାଖି ଛୁଇଁଥିଲା । ଏଥିରେ ଏମ୍ବିବିଏସ୍ ଛାତ୍ରଛାତ୍ରୀ,ହାଉସ୍ ସର୍ଜନ ଡାକ୍ତର, ମେଡିକାଲର କିଛି କର୍ମଚାରୀ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏକା ସାଙ୍ଗରେ ସଂକ୍ରମଣ ଏତେ ସଂଖ୍ୟାରେ ବଢିବାରୁ ଚିନ୍ତାରେ ପଡିଥିଲେ ମେଡିକାଲ କର୍ତ୍ତୃପକ୍ଷ । ଗତ ୨୯ ତାରିଖ ସଂକ୍ରମିତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୧ ଜଣଙ୍କ ସ୍ୱାବ ନମୂନା ଜେନମ୍ ସିକୁଏନ୍ସି ପାଇଁ ଭୁବନେଶ୍ୱର ସ୍ଥିତ ଆଇଏଲ୍ଏସ୍କୁ ପଠାଯାଇଥିଲା । ତେବେ ଦ୍ୱିତୀୟ ପର୍ୟ୍ୟାୟରେ ପୁଣି ପଠାଯାଇଥିବା ୧୬ ଜଣ ଛାତ୍ରଛାତ୍ରୀଙ୍କ ରିପୋର୍ଟ ବିଷୟରେ କୌଣସି ସୂଚନା ମଳିପାରିନାହିଁ । ବର୍ତ୍ତମାନ ମଧ୍ୟ ସଂକ୍ରମିତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କିଛି ଛାତ୍ରଛାତ୍ରୀ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଅଧିକାଂଶ ଛାତ୍ରଛାତ୍ରୀ ମେଡିକାଲରୁ ସୁସ୍ଥ ହୋଇ ହଷ୍ଟେଲ ଫେରିଛନ୍ତି ।






