କଣାସ, (ବାଘୁଆବାର୍ତ୍ତା): ମହିଳାଙ୍କ ସହ ଅନୈତିକ ସମ୍ପର୍କକୁ ନେଇ ଯୁବକକୁ ହତ୍ୟା ଘଟଣାରେ ଡେଲାଙ୍ଗ ପୋଲିସକୁ ମିଳିଲା ବଡ ସଫଳତା । ଗତ ୧୧ ନଭେମ୍ବର ଶନିବାର ଦିନ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ମାଙ୍ଗୁପଡ଼ା ଗ୍ରାମର ଜଣେ ୩୨ ବର୍ଷୀୟ ଯୁବକକୁ ହତ୍ୟା କରି କେନାଲରେ ଫୋପାଡି ଥିବା ଘଟଣାରେ ସୋମବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ସାମ୍ବାଦିକ ସମ୍ମିଳନୀ କରି ଆଡ଼ିସନାଲ SP ସୂଚନା ଦେଇଛନ୍ତି । ଅଭିଯୁକ୍ତ ଦୁଇ ଜଣ ହେଲେ ଡେଲାଙ୍ଗ ଥାନା ଅନ୍ତର୍ଗତ ମାଙ୍ଗୁପଡା ଗ୍ରାମର ଦୁଇ ଦମ୍ପତ୍ତି ଅକ୍ଷୟ କୁମାର ବେହେରା, ସ୍ତ୍ରୀ ଗୌରୀ ବେହେରା । ନିଜ ସ୍ତ୍ରୀ ସହ ମୃତ ଯୁବକ ଦୀର୍ଘ ଦିନ ଧରି ଅନୈତିକ ସମ୍ପର୍କ ରଖି ଆସୁଥିବା ନେଇ ଅଭିଯୁକ୍ତ ଅକ୍ଷୟ କୁମାର ବେହେରା ଜାଣିବା ପରେ ସ୍ତ୍ରୀକୁ ପଚାରିଥିଲେ । ପରେ ସ୍ଵାମୀ-ସ୍ତ୍ରୀ ଦୁହେଁ ଯୋଜନାବଧ ଭାବେ ମିଶି ସମ୍ପୃକ୍ତ ଯୁବକକୁ ପଥରରେ ଛେଚି ଏବଂ ଲୁହା ରଡ଼ରେ ପିଟିପିଟି ହତ୍ୟା କରି ଘର ନିକଟରେ ଥିବା କେନାଲରେ ଫିଙ୍ଗି ଦଳ ଘୋଡାଇ ଦେଇଥିଲେ ବୋଲି ଦୁଇ ଅଭିଯୁକ୍ତ ପୋଲିସକୁ କହିଥିବା ଜଣାପଡ଼ିଛି । ସାଇଣ୍ଟିଫିକ୍ ଟିମ୍ ଓ ଡେଲାଙ୍ଗ ଥାନାର ତଦନ୍ତ ରିପୋର୍ଟ ଆଧାରରେ ଘଟଣାସ୍ଥଳରୁ ଏକ ଲୁହା ରଡ୍ ସହ ଛେଚି ହତ୍ୟା କରିଥିବା ପଥର ଏବଂ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଫରୱାଡ୍ କରିବା ସହ ଆଜି ପୁରୀ ଆଡ଼ିସନାଲ SP ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।





