ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶନ କରିଛନ୍ତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଅତିରିକ୍ତ ଜିଲ୍ଲାପାଳ ନିର୍ବାଚନ ରୋଜିନା ଦାସ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବଦତ ପଣ୍ଡା, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଓ ସୁଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଉପସ୍ଥିତ ରହିଥିଲେ । ଜିଲ୍ଲାପାଳଙ୍କ ସୁଚନା ଅନୁଯାୟୀ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁଯାୟୀ ଗତ ୨୯.୧୦.୨୦୨୪ ରିଖରେ ଚିଠା ଭୋଟର ତାଲିକା ପ୍ରକାଶନ କରାଯାଇ ସେହି ତାରିଖ ଠାରୁ ତା.୨୮.୧୧.୨୦୨୪ ରିଖ ପର୍ଯ୍ୟନ୍ତ ଆପତ୍ତି ଓ ଅଭିଯୋଗ ଆହ୍ୱାନ କରାଯାଇଥିଲା । ଏହି ସମୟ ମଧ୍ୟରେ ନୂତନ ନାମ ପଞ୍ଜୀକରଣ, ନାମ ବାଦ କରାଯିବା ଓ ଉପଲବ୍ଧ ତଥ୍ୟ ଉପରେ ଆବଶ୍ୟକୀୟ ସଂଶୋଧନ କରାଯିବା ପାଇଁ ଗ୍ରହଣ କରାଯାଇଥିବା ସମସ୍ତ ଦରଖାସ୍ତ ଗୁଡିକୁ ଫଇସଲା କରାଯାଇ ଆଜି ଚୁଡାନ୍ତ ଭୋଟର ତାଲିକା ପ୍ରକାଶନ କରାଯାଇଛି ।

ଏହି ତାଲିକା ଜିଲ୍ଲା ସ୍ତରରେ, ସମସ୍ତ ବ୍ଲକ ସ୍ତରରେ ଓ ବୁଥ ସ୍ତରରେ ଆଜି ତାରିଖରେ ପ୍ରକାଶନ କରାଗଲା । ଇଛୁକ ବ୍ୟକ୍ତି ଜିଲ୍ଲା ସ୍ତରରେ ସମ୍ପୃକ୍ତ ବ୍ଲକ ସ୍ତରରେ ଓ ବୁଥ ସ୍ତରରେ ତାଙ୍କର ନାମ ଯାଞ୍ଚ ଓ ତନଖି କରିପାରିବେ । ଏହା ମଧ୍ୟ https://ceoodisha.nic.in, https://voters.eci.gov.in ମାଧ୍ୟମରେ ଯାଞ୍ଚ କରାଯାଇ ପାରିବ । ଚୁଡାନ୍ତ ଭୋଟର ତାଲିକା ପ୍ରକାଶନ ପ୍ରକାରେ ଜିଲ୍ଲାର ମୋଟ ଭୋଟର ସଂଖା ୮୧୪୧୬୫ ଅଛନ୍ତି । ତନ୍ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୪୨୫୦୫୨, ମହିଳା ଭୋଟର ସଂଖ୍ୟା ୩୮୯୦୭୦ ଓ ତୃତୀୟ ଲୀଙ୍ଗୀଙ୍କ ସଂଖ୍ୟା ୪୩ ଅଟନ୍ତି । ନୂତନ ଭାବେ ଯୋଗ ହୋଇଥିବା ସମସ୍ତ ଭୋଟର / ତଥ୍ୟ ରେ ସଂଶୋଧନ କରିଥିବା ଓ ନୂତନ ଭାବେ ଭୋଟ ପରିଚୟ ପତ୍ର ପାଇଁ ଆବେଦନ କରିଥିବା ସମସ୍ତ ଭୋଟର ମାନଙ୍କର ଭୋଟ ପରିଚୟ ପତ୍ର ଡାକ ମାଧ୍ୟମରେ ପାଇବାର ବ୍ୟବସ୍ଥା କରାଯାଇଛି । ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟର ମାନଙ୍କର ଅନୁପାତ ୨୦୨୪ ମସିହାରେ ୯୧୦ ଥିବା ସ୍ଥଳେ ଚଳିତ ୨୦୨୫ ଚୁଡାନ୍ତ ଭୋଟର ତାଲିକା ପ୍ରକାରେ ଏହା ୯୧୫ କୁ ବୃଦ୍ଧି ପାଇଅଛି । ପୁନଶ୍ଚ ୧୮-୧୯ ବର୍ଷର ଭୋଟର ମୋଟ ୧୪୩୧୦ ପଞ୍ଜୀକୃତ ହୋଇ ଅଛନ୍ତି । ଆଜିର ଏହି ବୈଠକରେ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ମାନଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ ।





