ନୟାଗଡ଼,(ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାର କଳା, ସାହିତ୍ୟ,ସଂସ୍କୃତି, ଐତିହ୍ୟର ବାର୍ତ୍ତାବହ ‘ନୟାଗଡ ଜିଲ୍ଲା ମହୋତ୍ସବ’ ଆଗାମୀ ଡିସେମ୍ବର ମାସ ୨୪ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ପାଳନ ହେବା ପାଇଁ ନିଷ୍ପତି ହୋଇଛି । ଏନେଇ ଆଜି ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଡିଆରଡିଏ ସୃଜନ ଗୃହରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କର କୃଷି ଓ କୃଷକ ସସକ୍ତିକରଣ, ମତ୍ସ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଆରକ୍ଷୀ ଅଧିକ୍ଷକ ଶଶୀଭୂଷଣ ଶତପଥୀ ପ୍ରମୂଖ ଯୋଗଦେଇଥିଲେ । ପାଂଚଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବ କିଭଳି ସରସ ସୁନ୍ଦର ହୋଇପାରିବ ସେ ନେଇ ମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅବସରରେ ଓରମାସ୍ ଦ୍ୱାରା ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହେବ । ଏଥିରେ ଶହେ ଗୋଟି ସରକାରୀ ଓ ବେସରକାରୀ ଷ୍ଟଲ ନିର୍ମାଣ କରାଯିବ । ଏହି ଅବସରରେ କନ୍ୟଭୃଣ ଉପରେ ଗୁରୁତ୍ୱ ଦେବାକୁ ଯାଇ ପ୍ରତ୍ୟେକ ଦିନ କିଛି ବାର୍ତ୍ତା ଜନସାଧାରଣକୁ ଦିଆଯିବା ଜିଲ୍ଲାପାଳ ଶ୍ରୀମତି ଟୁଡୁ ମତ ଦେଇଥିଲେ । ଏହା ସହିତ ପୂରୁଣା ବର୍ଷ ଭଳି ପୁସ୍ତକ ନଛାପି ଡିଜିଟାଲ ସ୍ମରଣୀକା ପ୍ରକାଶ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଯେପରି ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆସି ପାରିବ ସେଥିପ୍ରତି ଜନ ସାଧାରଣଙ୍କ ତରଫରୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହା ସହିତ ଜିଲ୍ଲା ଭିତରେ ଥିବା ପ୍ରତିଭାମାନଙ୍କୁ ଯଥାସମ୍ଭବ ସୁଯୋଗ ଦେବାକୁ ନିଷ୍ପତ୍ତି ଦିଆଯାଇଛି । ଗତବର୍ଷ ପରି ଏବର୍ଷ ମଧ୍ୟ ବିଭିନ୍ନ କମିଟିରେ ଯେଉଁ ଅଧିକାରୀମାନେ ଯେଉଁ ଦାୟିତ୍ୱ ତୁଲାଉଥିଲେ ଏବର୍ଷ ମଧ୍ୟ ସେହି ଦାୟିତ୍ୱ ତୁଲାଇବାକୁ ନିଷ୍ପତ୍ତି ନିଆଯାଇଛି । ମହୋତ୍ସବରେ ଆଇନ ଶୃଙ୍ଖଳାକୁ ବିଶେଷ ଗୁରୁତ୍ୱ ଦେବାକୁ ପୁଲିସ ପ୍ରଶାସନ କରିବ ବୋଲି ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଥିଲେ । ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଲୋକସଂମ୍ପର୍କ ଅଧିକାରୀ ଡ. ପ୍ରମୋଦ ନାୟକ, ନୟାଗଡ଼ର ବୁଦ୍ଧିଜୀବୀ, ଆଇନଜିବୀ, ବରିଷ୍ଠ ନାଗରିକ, ରାଜନେତା, ପ୍ରଶାସନିକ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ ।





