କେନ୍ଦୁଝର, (ବାଘୁଆବାର୍ତ୍ତା): ଗଛରେ ଝୁଲିଛି ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ। ବେକରେ ଲୁଗା ଗୁଡ଼ାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି। ମାତ୍ର ଏପର୍ୟ୍ୟନ୍ତ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଏପରି ଘଟଣା କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ ଘଟିଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଚମ୍ପୁଆ ଥାନା କୋଦ ଗାଡ଼ିଆ ଗାଁ ମାଟିହଣା ସାହିରେ ବାସ କରନ୍ତି ରଞ୍ଜିତ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ପାନମତି। ଉଭୟ ମୂଲ ମଜୁରି ଲାଗି ଚଳନ୍ତି। ବେଶ୍ ଖୁସିରେ ଥିଲେ। ଆଜି ସକାଳେ ଉଭୟଙ୍କ ଝୁଲନ୍ତା ମୃତଦେହ ଗାଁ ମୁଣ୍ଡ ଗଛରେ ଦେଖିବାକୁ ମିଳିଥିଲା। ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଦେଖି ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଶବବ୍ୟବଚ୍ଛେଦ ରିପୋର୍ଟ ଆସିଲେ, ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ । ତେବେ ପରିବେଶ ଓ ପରିସ୍ଥିତିକୁ ଦେଖିଲେ ଏହା ଆତ୍ମହତ୍ୟା ନୁହେଁ ବୋଲି ଅନୁମାନ କରାଯାଉଛି। ତାହାହେଲେ ସେମାନଙ୍କୁ ହତ୍ୟା କଲା କିଏ? ଏହା ଏବେ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ସେପଟେ ଗାଁ ଲୋକଙ୍କ କହିବା ଅନୁସାରେ ରଞ୍ଜିତ ମୁଣ୍ଡାଙ୍କ ବଡ଼ ଭାଇ ଅନ୍ୟ ଜଣେ ମହିଳାଙ୍କୁ ନେଇ ପଳାଇ ଯାଇଥିଲେ। ଘରେ ପାନମତି ଘରେ ଏକା ଥିଲେ। ରଞ୍ଜିତ ତାଙ୍କ ବଡ଼ ଭାଇଙ୍କ ସ୍ତ୍ରୀ ପାନମତିଙ୍କୁ ବିବାହ କରିଥିଲେ।






