ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ ଡାକ୍ତରଖାନା ପାଇଖାନା ଭିତରେ ମୃତ ଛୁଆ ଜନ୍ମ କଲେ ଯୁକ୍ତ ତିନି ଛାତ୍ରୀ । ଛାତ୍ରୀଜଣକ ନୟାଗଡ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ନିବାସରେ ରହୁଥିବା ବେଳେ ତାଙ୍କ ଘର କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ବୋଲି ଜଣାପଡିଛି । ପ୍ରସବ କରିଥିବା ଛାତ୍ରୀ ଜଣକ ନୟାଗଡ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ରୀ ହୋଇଥିବା ବେଳେ ଛାତ୍ରୀ ନିବାସରେ ୨ବର୍ଷ ହେଲା ରହୁଛନ୍ତି । ଆଜି ସକାଳୁ ଛାତ୍ରୀଜଣଙ୍କର ପେଟ କାଟିବାରୁ ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କୁ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ଛାତ୍ରୀଜଣକ ପରିସ୍ରା କରିବାକୁ ଯାଇ ଶୌଚାଳୟ ଭିତରେ ଏକ ମୃତ ଛୁଆକୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ଛାତ୍ରୀଜଣକ ମେଡିକାଲର ମାତୃ ଶିଶୁ ବିଭାଗରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ଅବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି । ସେପଟେ ଛାତ୍ରୀ ଜଣକ ପୂର୍ବରୁ ଗର୍ଭବତୀ ଥିବା ସମ୍ପର୍କରେ ହଷ୍ଟେଲ କର୍ତ୍ତୃପକ୍ଷ କିଛି ଜାଣିନଥିବା ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି । ହଷ୍ଟେଲକୁ କିଛି ଦିନ ବ୍ଯବଧାନରେ ଚେକ୍ ଅପ୍ ପାଇଁ ଡାକ୍ତର ଆସୁଥିଲେ ମଧ୍ଯ ଘଟଣା ସମ୍ପର୍କରେ କିପରି କିଛି ଜଣାପଡିଲା ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ହଷ୍ଟେଲ୍ କର୍ତ୍ତୁପକ୍ଷ ଛାତ୍ରୀଙ୍କର ପରିବାର ସଦସ୍ଯଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିବା ସେ କହିଛନ୍ତି ।