ରାଉରକେଲା, (ବାଘୁଆବାର୍ତ୍ତା): କୋଏଲ ନଦୀର କେରକେଟା ଘାଟରେ ଗାଧୋଇବା ବେଳେ ଜଣେ ଯୁବକ ନିଖୋଜ ହୋଇଥିଲେ । ବୁଧବାର ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ହେଲେ ଉଦିତନଗର ଶୀତଳପଡା ଅଞ୍ଚଳର ବିଜୟ ନାଗ । ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅନ୍ତର୍ଗତ ନୂଆଗାଁ ବ୍ଲକ କୋଏଲ ନଦୀର କେରକେଟା ଘାଟରେ ଏଭଳି ଘଟଣା ଘିଟିଥିବାର ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ, ମଙ୍ଗଳବାର ଅପରାହ୍ଣ ସମୟରେ ବିଜୟ କୌଣସି କାମରେ ଝିରପାଣି ହୋଇ କେରକେଟାକୁ ଆସିଥିଲେ । କୋଏଲ ନଦୀରେ କେରକେଟା ଘାଟରେ ଗାଧୋଉଥିବା ବେଳେ ଗଭୀର ପାଣିରେ ବୁଡ଼ି ନିଖୋଜ ହୋଇ ଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ । ହେଲେ ଯୁବକଙ୍କର କୌଣସି ପତ୍ତା ମିଳିନଥିଲା । ବୁଧବାର ସକାଳେ ଅଗ୍ନିଶମ କର୍ମଚାରୀ ନଦୀରେ ଖୋଜାଖୋଜି କରିବା ସମୟରେ ବିଜୟଙ୍କ ମୃତଦେହ ମିଳିଥିଲା । ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।






