ଭୋଗରାଇ, (ବାଘୁଆବାର୍ତ୍ତା): ଭୋଗରାଇ ଥାନା ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ନୟାବଣି ସରିଷା ଗାଁରେ ଜନୈକ ନବବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ହେଲେ ଉକ୍ତ ଗାଁର ନିମାଇଁଚରଣ ସାହୁଙ୍କ ପତ୍ନୀ ତଥା କୁକୁଡିଆ ଗ୍ରାମର କମଳଲୋଚନ ମଣ୍ଡଳଙ୍କ ଝିଅ ନମିତା (୨୨)। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିଲାବେଳେ ମୃତ ମହିଳାଙ୍କ ବାପାଙ୍କ ଲିଖିତ ଅଭିଯୋଗ କ୍ରମେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ପରେ ଶବକୁ ଜବତ କରିବା ସହ ଅଭିଯୁକ୍ତ ସ୍ବାମୀ ନିମାଇଁଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୁଲିସ କହିଛି। ଅଭିଯୋଗ ମୁତାବକ, ବର୍ଷକ ତଳେ ଭୋଗରାଇ ଥାନା ଅନ୍ତର୍ଗତ ନୟାବଣି ସରିଷା ଗାଁର ଶରତ ସାହୁଙ୍କ ପୁଅ ନିମାଇଁ କୁକୁଡ଼ିଆ ଗାଁର କମଳଲୋଚନ ମଣ୍ଡଳଙ୍କ ଝିଅ ନମିତାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ନମିତା ଶାଶୁ ଘରେ ରହୁଥିଲାବେଳେ ରବିବାର ସକାଳ ୧୧ଟା ସମୟରେ ଝିଅର ବାପା ଖବରପାଇଥିଲେ ଯେ,ତାଙ୍କ ଝିଅ ବେକରେ ଶାଢ଼ୀ ଦେଇ ଆତ୍ମହତ୍ୟା କରିଛି । ଖବରପାଇ କମଳଲୋଚନ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି ତାଙ୍କ ଝିଅର ମୃତଦେହ ବିଛଣାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହାସହିତ ବେକରେ ଶାଢ଼ୀ ନ ଥିବା ଦେଖି ତାଙ୍କ ଝିଅକୁ ହତ୍ୟା କରାଯାଇଛି ବୋଲି ସନ୍ଦେହ କରିଥିଲେ। ସଙ୍ଗେ ସଙ୍ଗେ ସେ ଭୋଗରାଇ ଥାନାରେ ପହଞ୍ଚି ତାଙ୍କ ଝିଅ ନମିତାକୁ ଶାଶୁ ଘର ଲୋକେ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଥାନା ଏସଆଇ କୈଳାସ ଚନ୍ଦ୍ର ମହାଳିକ, ଚନ୍ଦନେଶ୍ୱର ଫାଣ୍ଡି ଅଧିକାରୀ ବିଶ୍ୱନାଥ କର ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ନମିତାଙ୍କ ମୃତଦେହ ଜବତ କରିଥିଲେ। କମଳଲୋଚନଙ୍କ ଲିଖିତ ଅଭିଯୋଗ ଆଧାରରେ ଭୋଗରାଇ ଥାନା କେସ ନଂ ୧୮୯/୨୨ ରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ କରିଛି । ପରେ ସ୍ଥାନୀୟ ଜଳେଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ପୁଲିସ ମୃତଦେହ ହସ୍ତାନ୍ତର କରିଛି ।





