ବଣାଇ, (ବାଘୁଆବାର୍ତ୍ତା): ରେଲଓ୍ୱେ ଟ୍ରାକ୍ ୪ ମୃତଦେହ ମିଳିବା ଘଟଣା । ରହସ୍ୟ ଉପରୁ ହଟିଲା ପରଦା । ଝାଡଖଣ୍ଡ ପୋଲିସ ଦ୍ୱାରା ୫ ଅଭିଯୁକ୍ତ ଗିରଫ ହୋଇଛନ୍ତି । ହତ୍ୟା ପଛରେ ଘରୋଇ ବିବାଦ ଏବଂ ଏକ ତେନ୍ତୁଳି ଗଛ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି । ଖବର ଅନୁଯାୟୀ, ଶନିବାର ଦିନ ଓଡିଶା-ଝାଡଖଣ୍ଡ ସୀମା ପଶ୍ଚିମ ସିଂହଭୂମ ଜିଲ୍ଲାର ଚକ୍ରଧରପୁର ରେଳ ବିଭାଗ ତାଲାବୁରୁ ଏବଂ କେନ୍ଦୋପୋସି ରେଳ ଷ୍ଟେସନ ନିକଟରେ ୪ ଜଣଙ୍କ ମୃତଦେହ ଠାବ ହୋଇଥିଲା । ୪ ମୃତଦେହ ଦେଖିବା ପରେ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଦୁଇଟି ମୃତଦେହକୁ ଅଖା ଭିତରେ ସିଲ୍ କରାଯାଇଛି ଓ ଦୁଇ ଶିଶୁଙ୍କ ମୃତଦେହ ବାହାରେ ପକାଯାଇଥିଲା । ଆଉ ଏବେ ପୋଲିସ ଘଟଣାର ତଦନ୍ତ କରି ରହସ୍ୟ ଉପରୁ ହଟାଇଛି ପରଦା । ମୃତକଙ୍କ ପରିବାର ପାଞ୍ଚ ଜଣଙ୍କୁ ଗିରଫ କରିଛି ପୋଲିସ। ହତ୍ୟା ଅଭିଯୋଗରେ ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ମଙ୍ଗଲ ସିଂ ସିଙ୍କୁ, ମୋଟ୍ରା ସିଙ୍କୁ, ଜୋଜେନ ସିଙ୍କୁ, ସୋମା ସିଙ୍କୁ ଏବଂ ଟୁପାରା ସିଙ୍କୁ ଅଛନ୍ତି। ସେପଟେ ପୋଲିସ କହିଛି ଯେ, ପାଞ୍ଚ ଅଭିଯୁକ୍ତଙ୍କ ମଧ୍ୟରେ ମୃତକଙ୍କ ଭାଉଜ, ଦିଅର ଏବଂ କକାଶଶୁର ଅଛନ୍ତି। ପାରିବାରିକ କଳହ ଏବଂ ତେନ୍ତୁଳି ଗଛ ବିବାଦ ଯୋଗୁ ମୃତକଙ୍କ ପରିବାର ସଦସ୍ୟ ଏହି ହୃଦୟ ବିଦାରକ ହତ୍ୟା କରିଛନ୍ତି। ଏହା ପୂର୍ବରୁ ପରିବାର ସଦସ୍ୟଙ୍କ ଦ୍ୱାରା ଗୁଣି ଗାରେଡି ହତ୍ୟା ବୋଲି ବର୍ଣ୍ଣନା କରାଯାଉଥିଲା। ଏହି ହତ୍ୟା ମାମଲାର ସମାଧାନ ପାଇଁ ମୃତକଙ୍କ ଝିଅ ସବୁଠାରୁ ବଡ ଲିଙ୍କ ଭାବେ ଉଭା ହୋଇଥିଲା । ୧୫ ବର୍ଷର ଝିଅ ହିଁ ପୋଲିସକୁ ହତ୍ୟାକାରୀଙ୍କ ପାଖରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲା । ହତ୍ୟା ସମୟରେ ଏହି ଝିଅ କୌଣସି ପ୍ରକାରେ ଖସିଯିବାରେ ସଫଳ ହୋଇଥିଲା। ଅନ୍ୟପଟେ ପୋଲିସ ଏହା ମଧ୍ୟ କାହିଛି ଯେ ଗୋଟିଏ ପରିବାରର ତିନି ଜଣଙ୍କୁ ହତ୍ୟା କରାଯାଇଛି ଅନ୍ୟ ଶବଟି ଚିହ୍ନଟ ହୋଇପାରିନାହିଁ । ମୃତକ ମହିଳାଙ୍କ ବାହାର ରାଜ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି ।





