ନୟାଗଡ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରେ ଦେଖିବାକୁ ମିଳିଛି ଅଘଟଣ । କିଛି ଦୁର୍ବୃତ୍ତ ଏକ ଦନ୍ତା ହାତୀକୁ ମାରି ତା ଦାନ୍ତ କାଟି ନେଇଛନ୍ତି । ଦଶପଲ୍ଲା ରେଞ୍ଜ ବିଲୁଆପଡା ଘାଟିରୁ ଦନ୍ତା ହାତୀର ଗଳିତ ମୃତଦେହ ଠାବ ହୋଇଛି । ହାତୀକୁ ମାରି ଦାନ୍ତ କାଟି ନେଇଛନ୍ତି ଦୁର୍ବୃତ୍ତ । କରେଣ୍ଟ ଲଗାଇ ହାତୀକୁ ମରାଯାଇଥିବା ଅନୁମାନ କରାଯାଇଛି । ଘଟଣାସ୍ଥଳରେ ଡିଏଫଓଙ୍କ ସମେତ ଅନ୍ୟ ବନ ବିଭାଗ କର୍ମଚାରୀ, ବିଦ୍ୟୁତ ବିଭାଗ କର୍ମଚାରୀ ଏବଂ ଡାକ୍ତରୀ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଦନ୍ତାହାତୀର ବୟସ ୨୦ ବର୍ଷ ହେବ ବୋଲି ଅନୁମାନ କରାଯାଇଛି । ତେବେ ପୋଷ୍ଟମର୍ଟମ ପରେ ହାତୀର ବୟସ ଏବଂ କେବେ ଶୀକାର କରାଯାଇଛି ତାହା ସ୍ପଷ୍ଟ ହେବ ବୋଲି ଜଣା ପଡିଛି । ନୟାଗଡ ଜିଲ୍ଲା ଦଶପଲ୍ଲା ରେଞ୍ଜ ବାଇଶିପଲ୍ଲି ଅଭୟାରଣ୍ୟର ଏହି ଅଞ୍ଚଳରେ ସବୁଦିନେ ହାତୀଙ୍କ ଚଳପ୍ରଚଳ ରହିଥାଏ । ଏହାର ସୁଯୋଗ ନେଇ ଶିକାରୀମାନେ ଏହି ଅଞ୍ଚଳରେ ସକ୍ରିୟ ହୋଇ ହାତୀ ଏବଂ ଅନ୍ୟ ବନ୍ୟଜନ୍ତୁ ଶିକାର କରୁଥିଲେ ମଧ୍ୟ ବନ ବିଭାଗ ନୀରବଦ୍ରଷ୍ଟା ରହିଆସୁଛି । ମୃତ ଦନ୍ତାହାତୀକୁ ଶିକାରୀମାନେ କରେଣ୍ଟ ଲଗାଇ ହତ୍ୟା କରିବା ପରେ ତାର ଦାନ୍ତ କାଟି ନେଇଥିଲେ । ଘଟଣାସ୍ଥଳରୁ ବନ ବିଭାଗ ତାର ଜବତ କରିଛି । ଏହାସହିତ ଘଟଣାରେ ସମ୍ପୃକ୍ତ ୩ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଥିବା ବେଳେ ହାତୀ ଦାନ୍ତ ଜବତ କରିଥିବା ଡିଏଫଓ ସୂଚନା ଦେଇଛନ୍ତି ।





