ବାଲୁଗାଁ, (ବାଘୁଆବାର୍ତ୍ତା): ଖୋର୍ଦ୍ଧା ରୋଡ ରେଳ ଡିଭିଜନ ବାଲୁଗାଁ ରେଳ ଷ୍ଟେସନ ଉତ୍ତର କ୍ୟାବିନ ନିକଟ ଟ୍ରାକ କଡ଼ରୁ ଶନିବାର ଏକ ମୃତଦେହ ଉଦ୍ଧାର ହୋଇଛି। ବାଲୁଗାଁ ଆରପିଏଫ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ସୂଚନା ମୁତାବକ, ଶନିବାର ସକାଳେ ସ୍ଥାନୀୟ ଲୋକ ବାଲୁଗାଁ ରେଳ ଷ୍ଟେସନ ଟ୍ରାକ କଡ଼ରେ ଏକ ମୃତଦେହ ପଡିଥିବାର ଦେଖି ବାଲୁଗାଁ ଆରପିଏଫକୁ ସୂଚନା ଦେଇଥିଲେ। ମୃତକ ଜଣକ ଏକ କଳା ପ୍ୟାଣ୍ଟ ଓ ଧଳା ରଙ୍ଗର ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଘଟଣା ସ୍ଥଳରେ ଜିଆରପି ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରାଥମିକ ତଦନ୍ତରୁ ମୃତକ ଜଣକ କଟକ ଅଞ୍ଚଳର ମନୋରଞ୍ଜନ ସ୍ବାଇଁ (୩୭ ବର୍ଷ)ବୋଲି ଜଣାପଡ଼ିଛି। ଏଥିସହିତ ସେ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ତାଙ୍କ ନିକଟରୁ ଅନେକ କାଗଜପତ୍ର,ବିଦେଶୀ ମୁଦ୍ରା ସହ ୫୨୦ ଟଙ୍କା ମିଳିଛି। ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ମୃତ ଶରୀର ହସ୍ତାନ୍ତର କରାଯିବା ସହ ଘଟଣା ସମ୍ବନ୍ଧରେ ଅଧିକ ତଦନ୍ତ ଜାରି ରହିଥିବା ଖୋର୍ଦ୍ଧା ରୋଡ଼ ଜିଆରପି ପକ୍ଷରୁ ସୂଚନା ଦେଇଛନ୍ତି।





