କୋରାପୁଟ (ବାଘୁଆବାର୍ତ୍ତା) କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କୁଟ୍ରାବେଡା ପଞ୍ଚାୟତ ଅନ୍ତର୍ଗତ ଦେବଦଳା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମରେ ଜଣେ ବ୍ୟକ୍ତିଙ୍କର ବଜ୍ରାଘାତରେ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ବାଲି ମିଣ୍ୟାକା (୪୩) ବୋଲି ଜଣାପଡିଛି । ଏନେଇ ବନ୍ଧୁଗାଁ ଥାନାରେ ୫/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ତଦନ୍ତକାରି ଅଫିସର ଏଏସଆଇ ମନୁଆ ବିଡିକା କହିଛନ୍ତି । ବାଲି ମିଣ୍ୟାକା ଶୁକ୍ରବାର ନିଜ ଗ୍ରାମଠାରୁ ତିନି କିଲୋମିଟର ଦୂର ଏକ ଜଙ୍ଗଲକୁ ସାଙ୍ଗ ସାଥିଙ୍କ ସହ ଆମ୍ବ ଆଣିବାକୁ ଯାଇଥିଲେ । ସେଠି ପହଁଚି ସାଙ୍ଗ ସାଥିଙ୍କ ସହ ଅଲଗା ହୋଇ ସିଏ ଅନ୍ୟ ପଟ ଚାଲି ଯାଇଥିଲେ । ହଠାତ ବିଜୁଳି ଘଡଘଡି ମାରିବାରୁ ସବୁ ସାଂଗ ସାଥି ନିଜନିଜ ଘରକୁ ଫେରିଥିଲେ । କିନ୍ତୁ ବାଲି ମିଣ୍ୟାକ୍ୟ ଘରକୁ ଫେରି ନଥିଲେ । ଏହାଦେଖି ତାଙ୍କ ପୁଅ, ସ୍ତ୍ରୀ ଓ ଶାଶୁ ଶଶୁର ସେହି ଜଂଗଲକୁ ଯାଇ ଖୋଜା ଖୋଜି କରିଥିଲେ । ଏକ ଆମ୍ବ ଗଛ ତଳେ ବାଲିଙ୍କର ବଜ୍ରାଘାତରେ ମୃତ ହୋଇଥିବା ଦେଖିବାକୁ ପାଇ ବନ୍ଧୁଗାଁ ଥାନାର ଦ୍ୱାରସ୍ଥ ହୋଇଥିଲେ । ଇାଲିଙ୍କ ପୁଅ ମଇସି ମିଣ୍ୟାକ ଥାନାରେ ଲିଖିତ ଅଭିଯୋଗ କଲାପରେ ପୋଲିସ ଘଟଣା ସ୍ଥଳରୁ ମୃତଦେହ ଯବତ କରିଥିଲା । ରାତି ଅନେକ ହୋଇଥିବାରୁ ଶନିବାର ମୃତଦେହ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।






