ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମଚାରୀମାନେ ମିଳିତ ଭାବେ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୟାଗଡ଼ ଜିଲ୍ଲାପାଳ ଡ଼ ପୋମା ଟୁଡୁଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିବା ଜଣାଯାଇଛି । ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଅଧିନରେ ନୟାଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ୨୦୧୩ ମସିହାଠାରୁ ଜିଲ୍ଲାରେ ଥିବା ଅବହେଳିତ ଶିଶୁମାନଙ୍କ ନିମନ୍ତେ କାର୍ଯ୍ୟ କରି ଆସୁଅଛି । ଦୀର୍ଘ ୮ ବର୍ଷ ସମୟ ଏଠାରେ କାର୍ଯ୍ୟରତ କର୍ମଚାରୀମାନେ କାର୍ଯ୍ୟ କରି ଆସୁଛନ୍ତି । ସମସ୍ତ କର୍ମଚାରୀମାନେ ସରକାରଙ୍କ ଚୁକ୍ତି ଭିତିକ ନିୟମବଳୀ ଅନୁସାରେ ନିଯୁକ୍ତି ପାଇଛନ୍ତି । କିନ୍ତୁ ବିଗତ ୮ବର୍ଷ ଧରି ସରକାରଙ୍କ ନିମନ୍ତେ କାର୍ଯ୍ୟକରିବା ସତ୍ୱେ ଚାକିରି ନିୟମିତ କରାଯାଉ ନାହିଁ । ତତସହିତ ଖୁବ କମ ପାରିଶ୍ରମିକରେ ସେମାନଙ୍କୁ ନିୟୋଜିତ କରାଯାଇଅଛି । ଯାହାକି ନିମ୍ନତମ ମାସିକ ଦରମାଠାରୁ ବହୁତ କମ୍ ଅଟେ । ୨୦୧୩ ପରଠାରୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସ୍ଥାପନ କରାଯାଇ ଅବହେଳିତ ଓ ଯତ୍ନ ଓ ସୁରକ୍ଷା ଲୋଡୁଥିବା ଶିଶୁମାନଙ୍କର ଥଇଥାନ ବ୍ୟବସ୍ଥା କରାଯାଉଛି । ରାଜ୍ୟରେ କିଶୋର ନ୍ୟାୟ ଆଇନ ତଥା ଶିଶୁମାନଙ୍କ ପ୍ରତି ଯୌନ ଅତ୍ୟାଚାର ପ୍ରତିଷେଧ ଅଧିନିୟମ ତଥା ବାଲ୍ୟ ବିବାହ ନିଷେଧ ଅଧିନିୟମର ସୂଚାରୁ ରୂପେ କାର୍ଯକାରୀ କରିବାରେ ରାଜ୍ୟରେ ଏହି ୟୁନିଟର ମୁଖ୍ୟ ଭୂମିକା ରହିଅଛି । ଭାରତର ମଣିପୁର, ରାଜସ୍ଥାନ ଭଳି ବିଭିନ୍ନ ରାଜ୍ୟରେ ଏହି ୟୁନିଟରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଚାକିରିରେ ନିୟମିତ ହୋଇ ବର୍ଦ୍ଧିତ ବେତନ ପାଉଥିବା ବେଳେ ଆମ ରାଜ୍ୟରେ ଦୀର୍ଘ ୮ ବର୍ଷ ଧରି ଚାକିରି କଲାପରେ ମଧ୍ୟ ଏହି ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି ।





