ନୟାଗଡ଼,(ବାଘୁଆବାର୍ତ୍ତା): ଗୁରୁ ଶିଷ୍ୟ ପରମ୍ପରାରେ ଲାଗିଛି କଳାଦାଗ । ଶିକ୍ଷାନୁଷ୍ଠାନ ଭଳି ପବିତ୍ର ଅନୁଷ୍ଠାନରେ ଅସଦାଚରଣର ଶିକାର ହେଉଛନ୍ତି ଛାତ୍ରୀ। ଦଶପଲ୍ଲା ଏନ୍ଏସି ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ପାଟଣା ଗ୍ରାମରେ ଥିବା ଏକ କୋଚିଂ ସେଣ୍ଟରର ଜଣେ ଛାତ୍ରୀ ଅସଦାଚରଣର ଶିକାର ହୋଇଥିବା ନେଇ ଥାନାରେ ଅଭିଯୋଗ ହେବା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ଜୟସେନ ସାହୁ । କୃଷ୍ଣଚନ୍ଦ୍ରପୁର ପାଟଣାଠାରେ ଗାୟତ୍ରୀ ଜ୍ଞାନ ମନ୍ଦିର ନାମରେ ଏକ କୋଚିଂ ସେଣ୍ଟର ରହିଛି। ଗତ ୨୬ ତାରିଖ ଦିନ କୋଚିଂ ସେଣ୍ଟରର ହଷ୍ଟେଲରେ ରହୁଥିବା ଜଣେ ୮ମ ଶ୍ରେଣୀର ଛାତ୍ରୀ ଘରକୁ ଯାଇ ନୟାଗଡ଼ରୁ ଫେରିଥିଲେ । ତାଙ୍କୁ ଆଣିବା ପାଇଁ କୋଚିଂ ସେଣ୍ଟରର ମାଲିକ ତଥା ଶିକ୍ଷକ ଜୟସେନ ସାହୁ ଗାଡ଼ି ନିକଟକୁ ଯାଇଥିଲେ। ତାଙ୍କୁ କୋଚିଂ ସେଣ୍ଟରକୁ ଆଣିବା ପରିବର୍ତ୍ତେ କୌଣସି ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ମୋବାଇଲରେ ଅଶାଳୀନ ଭିଡିଓ ଦେଖାଇବା ସହ ତାଙ୍କ ସହିତ ଅସଦାଚରଣ କରିଥିଲେ। ଯାହାକୁ ନେଇ ଛାତ୍ରୀ ଜଣକ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକ ପହଞ୍ଚି ଘଟଣା ସମ୍ପର୍କରେ ଶିକ୍ଷକଙ୍କୁ ପଚରାଉଚରା କରିଥିଲେ। ଶେଷରେ ଗତକାଲି ଦଶପଲ୍ଲା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ ସମ୍ପୃକ୍ତ ଶିକ୍ଷକଙ୍କୁ ଉଠାଇ ଛାନଭିନ୍ କରିଥିଲା । ଆଜି ଅଭିଯୁକ୍ତ ଶିକ୍ଷକଙ୍କ ଡାକ୍ତରୀ ମାଇନ ପରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।





