ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଗଣିଆ ପୁଲିସ ୪ ଜଣ ଡକାୟତଙ୍କୁ ଗିରଫ କରିଛି । ଗିରଫ ୪ ଡକାୟତ ହେଲେ ଦଶପଲ୍ଲା ଥାନା ମଧ୍ୟଖଣ୍ଡ ଗ୍ରାମର ଅମୀୟ ମହାରଣା, ପ୍ରମୋଦ କୁମାର ସାହୁ, ବାବୁନି ବାରିକି ଓ ରାକେଶ କୁମାର ପରିଡା । ଦଶପଲ୍ଲାରୁ ଗଣିଆ ଅଭିମୁଖେ ଆସୁଥବା ଟାଟା ଏସି କୋରିଅର ସର୍ଭିସ ଗାଡି ଲୁଟ ଘଟଣାରେ ଏମାନଙ୍କୁ ଗିରଫ କରାଯାଇଛି । ଡକାୟତମାନେ କୋରିଅର ଗାଡି କାଚକୁ ପଥର ମାରିବା ସହ ଡ୍ରାଇଭରଠାରୁ ୨ହଜାର ଟଙ୍କା ଛଡାଇ ନେଇଥିଲେ । କୋରିଅର ଗାଡି ଡ୍ରାଇଭର ସନ୍ତୋଷ କୁମାର ଗଣ୍ଠିଆ ଗାଡିକୁ ଦ୍ରୁତ ଗତିରେ ଆଣି ଗଣିଆ ଥାନାକୁ ନେଇଯାଇଥିଲେ । ପିଛା କରୁଥିବା ଡକାୟତ ଦଳ ହଠାତ ଗଣିଆ ବ୍ରାହ୍ମଣ ସାହି ଭିତରକୁ ଯାଇ ଡ୍ରେନରେ ଗାଡ଼ି ଫସାଇ ଦେଇଥିଲେ । ଗଣିଆ ପୁଲିସ ମଧ୍ୟଖଣ୍ଡ ଗ୍ରାମରେ ଚଢାଉ କରି ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଏକ ହୁଣ୍ଡାଇ ଭର୍ଣ୍ଣା କାର, ଏକ ଟାଟା ଇଣ୍ଡିଗୋ କାର, ୪ଟି ମୋବାଇଲ ଫୋନ, ନଗଦ ୪ ହଜାର ୭ ଶହ ଟଙ୍କା, ଗୋଟିଏ କାତି ସହ ୨ଟି ଲୁହା ଓ ଷ୍ଟିଲ ରଡ ଜବତ କରିଛି । ଖଣ୍ଡପଡା ଏସଡିପିଓ ପ୍ରଭାତ କୁମାର ମଲ୍ଲିକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ।





