ଦଶପଲ୍ଲା, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଝିଣ୍ଟିକା ବାରି ଗ୍ରାମରେ ଗତ କିଛିଦିନ ଧରି ଜଣେ ଯୁବକ ଗୁଣ୍ଡା ରାଜ ଚଳାଇଥିବା ବେଳେ ଶନିବାର ଦିନ ଏହି ଯୁବକଙ୍କ ଉନ୍ମୁକ୍ତ କାଣ୍ଡ ଗ୍ରାମବାସୀଙ୍କୁ ଅସହ୍ୟ କରିଛି । ଗ୍ରାମବାସୀ ମାନେ ଯୁବକ ଜଣଙ୍କୁ କାବୁ କରିବା ପାଈଁ ଘେରି ରହିଥିଲେ ମଧ୍ୟ ପୋଲିସ ଉପସ୍ଥିତିରେ ୧୦୮ ଆମ୍ବୁଲାନ୍ସ ଯୋଗେ ଉକ୍ତ ଯୁବକ ଦଶପଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସି ଫେରାର ହୋଇଯାଇଥିବା ଜଣାପଡ଼ିଛି । ସୂଚନାନୁସାରେ, ଦଶପଲ୍ଲା ଥାନା ଝିଣ୍ଟିକାବାରି ଗ୍ରାମର ଶରତ ନାଏକ ସଦାସର୍ବଦା ମାତାଲ ହୋଇ ହାତରେ ବୋମା ପିସ୍ତଲ ଧରି ଗ୍ରାମବାସୀଙ୍କୁ ଭୟଭୀତ କରି ଆସୁଥିବା ବେଳେ ଗତ କିଛିଦିନ ତଳେ ଗ୍ରାମରେ ବମ ପକାଇ ସମସ୍ତଙ୍କୁ ଆତଙ୍କିତ କରିଥିବାବେଳେ ଶନିବାର ଦିନ ଶରତ ମଦ ପିଇ ହାତରେ ଭୁଜାଲି ଓ ବମ୍ ଧରି ଗ୍ରାମବାସୀଙ୍କୁ ଗାଳି ଗୁଲଜ କରିବାରୁ ଗ୍ରାମବାସୀ ଶରତ ଘର ଚାରି ପାଖ ଜଗି ରହିବା ସହ ପୋଲିସକୁ ଫୋନ ଦ୍ବାରା ଜଣାଇଥିଲେ । ମାତ୍ର ପୋଲିସ ଯିବାରେ ବିଳମ୍ବ କରିବାରୁ କିଛି ଗ୍ରାମବାସୀ ଦଶପଲ୍ଲା ଥାନାରେ ପହଂଚି ପୋଲିସ କୁ ଜଣାଇଥିଲେ । ପୋଲିସ ତାଙ୍କ ଗ୍ରାମକୁ ଯାଉଥିବା ଖବର ପାଇ ଶରତ ଦେହ ଅସୁସ୍ଥ ଥିବା ନେଇ ଶରତ ଅଭିନୟ କରି ପୋଲିସ କବଳରୁ ରକ୍ଷା ପାଇବା ପାଈଁ ଶରତ ୧୦୮ ଅମ୍ବୁଲାନ୍ସକୁ ଫୋନ କରିଥିଲା । ଫୋନ ପାଇ ୧୦୮ ଆମ୍ବୁଲାନ୍ସ ଝିଣ୍ଟିକାବାରିରେ ପହଁଚିଥିବା ବେଳେ ୧୦୮ ଆମ୍ବୁଲାନ୍ସକୁ ଗ୍ରାମବାସୀ ଛାଡ଼ି ନଥିଲେ ପୋଲିସ ଝିଣ୍ଟିକାବାରି ଗ୍ରାମରେ ପହଞ୍ଚିଲା ପରେ ଶରତକୁ ୧୦୮ ଆମ୍ବୁଲାନ୍ସରେ ଦଶପଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । ଏହା ସହ ତାଙ୍କ ସ୍ତ୍ରୀ ମଧ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ । ଆଗରେ ୧୦୮ ଆମ୍ବୁଲାନ୍ସ ଓ ପଛରେ ପୋଲିସ ଗାଡି ଆଗପଛ ହୋଇ ଆସୁଥିବା ବେଳେ ପୋଲିସ ଗାଡି ଥାନା କୁ ଯାଇଥିଲା ଆଉ ଆମ୍ବୁଲାନ୍ସ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଁଚି ଥିଲା । ପୋଲିସ ଅନୁପସ୍ଥିତିର ସୁଯୋଗ ନେଇ ଶରତ ଆମ୍ବୁଲାନ୍ସରୁ ଚମ୍ପଟ ମାରିଥିବା ବେଳେ ପୋଲିସ ସ୍ବାସ୍ଥ୍ୟ କେନ୍ଦ୍ର ରେ ପହଁଚି ଶରତ ସ୍ତ୍ରୀ କୁ ଅଟକ ରଖିଛି । ଅନ୍ୟ ପାର୍ଶ୍ୱରେ ଶରତ ଫେରାର ହୋଇ ଯାଇଥିବା ଖବର ପାଇ ଗ୍ରାମ ବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି । ପୋଲିସ ର ଅବହେଳା ପାଈଁ ଶରତ ଖସିଗଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଶରତ ନାମରେ ପୁର୍ବରୁ ନାହାକପଡା ଗ୍ରାମ ର କାଳିଆ ବେହେରା ମୃତ୍ୟୁ ଘଟଣାର ସେ ଜଣେ ଫେରାର ଆସାମୀ ବୋଲି ଜଣାପଡିଛି। ଘଟଣାର ଉଚିତ୍ ତଦନ୍ତ କରାଯାଇ ଶରତକୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଦଶପଲ୍ଲା ଥାନା ଅଧିକାରୀ ବସନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।





