ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ସୁବଳୟା ନିକଟରୁ ଜଣେ ଡାକ୍ତରଙ୍କୁ ଅପହରଣ କରି ଲୁଟ କରିବା ଭଳି ଘଟଣାରେ ଆଜି ପୁଲିସ ଜଣେ ଢାବା ମାଲିକଙ୍କୁ ଗିରଫ କରିଛି । ସେ ହେଲେ ଗଣିଆ ଥାନା ଗଣିଆ ବଜାରରେ ଥିବା ମୁସ୍କାନ ଢାବା ମାଲିକ ଲକ୍ଷ୍ମୀକାନ୍ତ ସ୍ୱାଇଁ । ଲୁଟର ଶୀକାର ହୋଇଥିବା ଡାକ୍ତରଙ୍କ ଫୋନ ପେରୁ ଢାବା ମାଲିକଙ୍କ ଫୋନ ପେକୁ ଏକ ଲକ୍ଷ ଟଙ୍କା ଯାଇଥିଲା । ତଦନ୍ତ ସମୟରେ ତାଙ୍କ ବ୍ୟାଙ୍କ ଖାତାରେ ୬୫ ହଜାର ଥିବା ବେଳେ ଖାତା ଜବତ କରାଯାଇଥିବା ସୂଚନା ମିଳିଛି । କନ୍ଧମାଳ ଜିଲ୍ଲା ଲାଇନପଡ଼ା ଡାକ୍ତରଖାନାର ଡାକ୍ତର ଭାବଗ୍ରାହୀ ସାହୁଙ୍କୁ ଅପହରଣ ପରେ ଲୁଟ କରାଯାଇଥିଲା । ଲକ୍ଷ୍ମୀକାନ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଦଶପଲ୍ଲା ଥାନା ଭାରପ୍ରାପ୍ତ ଅଧିକାରୀ ଜୟ ପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି । ଖୁବଶୀଘ୍ର ଅନ୍ୟ ଲୁଟେରାଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି ।






