ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ସ୍ଥାନୀୟ ଜଗାପୁର ରାସ୍ତା ନିକଟସ୍ଥ ବନଦୁର୍ଗା ମନ୍ଦିର ପାଖରେ ଥିବା ଏଲ୍ଆଇସି ଏଜେଣ୍ଟ ରାଜେନ୍ଦ୍ର କୁମାର ସାହୁଙ୍କ ଘରୁ ଚୋରୀ ହୋଇଛି । ଆଜି ମଧ୍ୟାହ୍ନରେ କିଛି ଦୁର୍ବୁତ୍ତ ଝରକା ତାଡ଼ି ଘରେ ପଶି କଳାକନା ବୁଲାଇଛନ୍ତି । ସୂଚନାନୁସାରେ, ଦୁବୁର୍ତ୍ତମାନେ ଘରେ ପଶି ଗଡ୍ରେଜ୍ ଭାଙ୍ଗିବା ସହ ସେଥିରେ ଥିବା ସୁନା ଅଳଙ୍କାର ଏବଂ ନଗଦ ୧୫ ହଜାର ଟଙ୍କା ଚୋରୀ ନେଇଥିବା ସେ ଅଭିଯୋଗ କରିଛନ୍ତି । ଗତକାଲି ଶେଷ ଖୁଦୁରୁକୁଣୀ ଓଷା ଥିବା ବେଳେ ରାଜେନ୍ଦ୍ରଙ୍କ ପôତୀ ଓ ପିଲାଙ୍କୁ ସେ ସାତପାଟଣା ସ୍ଥିତ ଶ୍ୱଶୁରଙ୍କ ଘରେ ଛାଡ଼ିଥିଲେ । ରାତିରେ ସେ ଘରେ ଶୋଇବା ସହ ଆଜି ସକାଳୁ ନତ୍ୟକର୍ମ ସାରି ସେ ଘରୁ ବାହାରକୁ ଆସିଥିଲେ । ଅପରାହ୍ନରେ ସେ ଘରକୁ ଫେରିବା ବେଳକୁ ଘରର ଭିତର ପାଶ୍ୱର୍ରୁ କବାଟ ବନ୍ଦ ହୋଇଥିବା ଦେଖିବାକୁ ପାଇଥିଲେ । ଯାହାକୁ ନେଇ ତାଙ୍କର ସନ୍ଦେହ ହେବାରୁ ସେ ବାହାର ପାଶ୍ୱ ବେଡ୍ ରୁମ ପାଖ ଝରକା ଭଙ୍ଗା ହୋଇଥିବା ଦେଖିଥିଲେ । କବାଟ ଖୋଲି ଘରେ ଦେଖିବା ବେଳକୁ ଗଡ୍ରେଜ୍ ଭଙ୍ଗା ଯାଇ ବିଭିନ୍ନ ଜିନିଷ ଛାନଭିନ୍ ହୋଇ ପଡ଼ିଥିଲା । ସେଥିରେ ଥିବା ୩ଟି ସୁନାମୁଦି ଏବଂ ୪ଟି ଲକେଟ, ଦୁଇ ହଳ କାନଫୁଲ ଏବଂ ୪ ପଟ ବାହୁଟି ଓ ରୂପା ୨ ଶହ ଗ୍ରାମ ସହ ନଗଦ ୧୫ ହଜାର ଟଙ୍କା ଚୋରୀ ଯାଇଥିବା ରାଜେନ୍ଦ୍ର ଥାନାରେ ଅଭିଯୋଗ କରିଛନ୍ତି । ଦଶପଲ୍ଲା ପୁଲିସ ଅଭିଯୋଗ ପାଇବା ପରେ ଘଟଣାକୁ ନେଇ ଛାନଭିନ୍ ଆରମ୍ଭ କରିଛି ।






