ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଇଟାମାଟି ଥାନାରେ ଦୀର୍ଘମାସ ଧରି ଚାଲିଥିଲା ଦଲାଲ ରାଜ । ପୁଲିସ ଦ୍ୱାରା ଅଘୋଷିତ ଭାବେ ବିଭିନ୍ନ ଗ୍ରାମାଞ୍ଚଳରେ ଦଲାଲ ନିଯୁକ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଦଲାଲ କୁହାଯାଉଥିବା ବାଙ୍କା ଭାଇନା ଏବେ ନିଜକୁ ନୂଆଗାଁ ଥାନାକୁ ବଦଳି କରିଛନ୍ତି । ଇଟାମାଟି ଆଇଆଇସିଙ୍କ ନୂଆଗାଁ ବଦଳି ପରେ ଏହି ଦଲାଲ ନିଜକୁ ନିଜେ ନୂଆଗାଁ ଥାନାକୁ ବଦଳି କରିଛନ୍ତି । କିଛିଦିନ ମଧ୍ୟରେ ଇଟାମାଟି ଅଂଚଳର ଏହି ସର୍ବଶ୍ରେଷ୍ଠ ଦଲାଲ ନୂଆଗାଁ ଥାନା ଅଂଚଳରେ ନିଜର ପରିଚୟ ସୃଷ୍ଟି କରି ତାଙ୍କର ପୂର୍ବ ତାଲିମ ଅନୁସାରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଯାହାକୁ ନେଇ ଏବେ ନୂଆଗାଁ ଅଂଚଳ ବାସୀ ତ୍ରାହି ତ୍ରାହି ଡାକିଲେଣି । ଥାନାକୁ ଆସୁଥିବା ମାମଲାର ରଫାଦଫା କରାଇବାକୁ ଏହି ଦଲାଲ ବେଶ ମୋଟା ଅଙ୍କର ବଟି ମଧ୍ୟ ଆଦାୟ କରୁଥିବା ଚର୍ଚ୍ଚା ହେଉଛି । ଶୁଣା ଯାଉଛି, ଏହି ବ୍ୟକ୍ତି ଏବେ ପ୍ରତ୍ୟେକ ଦିନ ସକାଳୁ ବାଇକ ଧରି ନୂଆଗାଁ ଅଂଚଳରେ ପହଂଚୁଥିବା ବେଳେ ବିଳମ୍ବିତ ରାତିରେ ଫେରୁଛନ୍ତି । ଥାନା କର୍ମଚାରୀ ଏବଂ ଅଧିକାରୀଙ୍କ ସହ ତାଙ୍କର କି ସଂମ୍ପର୍କ ରହିଛି, ତାହା ଆଜି ଦିନର ଥାନା ସିସିଟିଭି ଫୁଟେଜ୍ ଦେଖିଲେ ଏସ୍ପି ମହାଶୟ ଜାଣି ପାରିବେ ବୋଲି ଆଲୋଚନା ହେଉଛି । ଇଟାମାଟି ଲୋକଙ୍କ ରକ୍ତ ଶୋଷିବା ପରେ ଏବେ ନୂଆଗାଁ ଅଂଚଳରେ ନିଜକୁ ଥାନା ଅଧିକାରୀଙ୍କ ପାଖ ଲୋକ ତଥା ଟିଙ୍କ ବୋଲି ପରିଚୟ ସୃଷ୍ଟି କରିଥିବା ଏହି ବ୍ୟକ୍ତିଙ୍କୁ ଯଥାଶୀଘ୍ର ଗିରଫ କରି ଥାନାକୁ ଦଲାଲ ମୁକ୍ତ କରିବାକୁ ଦାବି ହେଉଛି ।






