ଓଡ଼ଗାଁ,(ବାଘୁଆବାର୍ତ୍ତା): ଚଳିତ ଶିକ୍ଷା ବର୍ଷରେ ଆନନ୍ଦ ସାହୁ ବାଳିକା ଉଚ୍ଚ ବିଦ୍ୟାଳୟରୁ ୪୮୦ ନମ୍ବର ରଖି ଏ୨ ଗ୍ରେଡ଼ କୃତିତ୍ୱ ହୋଇଥିଲେ ଛାତ୍ରୀ ଶୁଭଶ୍ରୀ ସାହୁ। ଏହା ତାଙ୍କ ପାଇଁ ଖୁସି ଆଣି ଦେଇଥିବା ବେଳେ, ଉଚ୍ଚଶିକ୍ଷା ଅଧ୍ୟୟନ ତାଙ୍କ ପାଇଁ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଶୁଭଶ୍ରୀ ସାହୁ ତାଙ୍କ ମାଆଙ୍କ ସହ ଦୀର୍ଘ ଦିନ ହେବ ଅଜା ଘରେ ରହୁଥିବା ବେଳେ ମାଆ ଏକ ବିଦ୍ୟାଳୟରେ ରୋଷେଇ କାର୍ଯ୍ୟ କରି ମାସ ଶେଷରେ ମିଳୁଥିବା ଚଉଦ ଶହ ଟଙ୍କା ଝିଅର ପାଠ ପଢ଼ା ବୁଝନ୍ତି । ଏଥି ସହିତ ତିନିପ୍ରାଣୀ କୁଟୁମ୍ବ ପ୍ରତିପାଳନ ଅନ୍ୟାନ ଖର୍ଚ୍ଚ ସମ୍ଭଳାନ୍ତି । ଏଭଳି ମେଧାବୀ ଛାତ୍ରୀଙ୍କ ସମସ୍ୟା କଥା, ଗିରିଡିପଲ୍ଲୀ ସମିତିସଭ୍ୟ ବିଜନ ପାଇକରାୟଙ୍କ ଜରିଆରେ ସମାଜସେବୀ ସଂଗଠନ ମାତୃଭୂମି ପାଖରେ ପହଞ୍ଚିଥିଲା । ଖବରପାଇ ଡକ୍ଟର ଶ୍ରୀରାମପ୍ରସାଦ ସାହୁ, ସଙ୍ଗଠନର ସକ୍ରିୟ ସଭ୍ୟ ଗନ୍ଧର୍ବ ପ୍ରଧାନଙ୍କ ଜରିଆରେ ତୁରନ୍ତ ତାଙ୍କର ମତାମତ ଲୋଡି ସମସ୍ତ ଖର୍ଚ୍ଚ ସହ ଆନନ୍ଦ ସାହୁ ମହିଳା ମହାବିଦ୍ୟାଳୟରେ ଦୁଇ ବର୍ଷ +2 ବିଜ୍ଞାନ ପଢ଼ାଇବା ପାଇଁ ଆଗ୍ରହ ପ୍ରକାଶ କରି ଅଛନ୍ତି। ଡକ୍ଟର ଶ୍ରୀରାମପ୍ରସାଦ ସାହୁ ଅଧୁନା କୁରାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ। ଉଚ୍ଚ ଶିକ୍ଷାର ଆଶ୍ୱାସନା ପାଇ ଶୁଭଶ୍ରୀ ସାହୁ ବର୍ତ୍ତମାନ ବହୁତ ଖୁସି ଥିବା ବେଳେ ଡାକ୍ତରଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।
ରିପୋର୍ଟ – ଓଡ଼ଗାଁରୁ ଅର୍ଜୁନ ସାହୁ






