କଟକ, (ବାଘୁଆବାର୍ତ୍ତା): ସିନେ ନିର୍ଦ୍ଦେଶକ ସ୍ୱର୍ଗତ ହର ପଟ୍ଟନାୟକଙ୍କ ଘରୁ ଚୋରି ଘଟଣାରେ ଜଣେ ସନ୍ଦିଗ୍ଧର ଗତିବିଧି ସାମ୍ନାକୁ ଆସିଛି । ଚୋରି ହୋଇଥିବା ବିଳମ୍ୱିତ ରାତିରେ ଜଣେ ସ୍ୱର୍ଗତ ପଟ୍ଟନାୟକଙ୍କ ଘର ପାଚେରି ଡେଇଁ ଭିତରକୁ ଯାଉଥିବାର ଦୃଶ୍ୟ ଏକ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି । ଯୁବକ ଜଣଙ୍କ ମୁହଁରେ ଏକ କପଡା ବା ଗାମୁଛା ବାନ୍ଧିଥିବା ବେଳେ ହାତରେ କିଛି ଜିନିଷପତ୍ର ଧରିଥିବା ଉକ୍ତ ଫୁଟେଜ୍ରେ ଦେଖିବାକୁ ମିଳିଛି । ଏପରିକି ଯୁବକ ପାଚେରି ଡେଇଁ ବାହାରିବା ପରେ ପୁଲିସ ହାଇସ୍କୁଲ୍ ପରିସରକୁ ଯାଉଥିବା ଦେଖାଯାଉଛି । ରାତି ୩ଟାରୁ ୪ଟା ଭିତରେ ଏସବୁ ହୋଇଥିବା ଦେଖାଯାଉଛି । ଏହି ଫୁଟେଜ ସଂଗ୍ରହ କରି ବିଡାନାସୀ ଥାନା ପୁଲିସ ତଦନ୍ତକୁ ଆଗକୁ ବଢ଼ାଇଛି । ଗୁରୁତ୍ୱପୂର୍ଣ୍ଣ ହେଲା, ଆଜିକୁ ଠିକ ୧୦ ଦିନ ତଳେ ଚହଟା ଅଞ୍ଚଳରେ ସିରିଜ୍ ଚୋରି ହୋଇଥିଲା । ଉକ୍ତ ଘଟଣାରେ ପୁଲିସକୁ ଯେଉଁ ଫୁଟେଜ୍ ମିଳିଥିଲା ସେଥିରେ ମଧ୍ୟ ଜଣେ ସନ୍ଦିଗ୍ଧ ଯୁବକଙ୍କ ଫଟୋ ଥିଲା । ସ୍ୱର୍ଗତ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣାର ସନ୍ଦିଗ୍ଧର ଶାରୀରିକ ଗଠନ ସହ ସେହି ଯୁବକର ଶାରୀରିକ ଗଠନ ପ୍ରାୟଃ ମିଶୁଛି । ବିଡ଼ାନାସୀ ଥାନା ଅଞ୍ଚଳରେ ହେଉଥିବା ସବୁ ଚୋରି ଘଟଣାରେ ଜଣେ ଯୁବକ ରହିଥିବା ପୁଲିସ ଆଶଙ୍କା କରୁଛି । ବିଡାନାସୀ ବନ୍ଧ ଛକ ନିକଟ ମହତାବ ନଗରରେ ସ୍ୱର୍ଗତ ହର ପଟ୍ଟନାୟକଙ୍କ ପରିବାର ରହୁଛନ୍ତି । ଶନିବାର ଘର ଲୋକେ ପୁରୀ ବୁଲିବାକୁ ଯାଇଥିଲେ । ସେହି ରାତିରେ ଘର ତାଲା ଭାଙ୍ଗି କେହି ୧୦ ହଜାର ଟଙ୍କା ଓ କିଛି ସୁନା ଅଳଙ୍କାର ନେଇଯାଇଥିବା ପରିବାର ଲୋକେ ରବିବାର ସକାଳେ ଜାଣିବାକୁ ପାଇଥିଲେ ।





