ଟାଙ୍ଗୀ, (ବାଘୁଆବାର୍ତ୍ତା): ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବାଇପାସ୍ ରେ ପୁଣି ମାତିଲେ ବାଇକ୍ ଲୁଟେରା। ଆଖି ପିଛୁଳାକେ ଝାମ୍ପ ମାରି ଲୁଟି ନେଲେ ମହିଳାଙ୍କ ଭ୍ୟାନିଟ୍ ବ୍ୟାଗ। ଭ୍ୟାନିଟ ବ୍ୟାଗ ଟାଣି ନେଉଥିବା ବେଳେ ବାଇକ୍ ରୁ ପଡି ଦୁଇ ମହିଳା ଆହତ। ଆହତ ମହିଳା ଦୁଇଜଣ ହେଲେ ଜୟନ୍ତୀ ପାଇକରାୟ ଓ ନର୍ମଦା ରାୟ ସିଂହ। ଜୟନ୍ତୀ ନାଚୁଣୀ ଲୋକିପୁର ମାଇଁ ଚଏସ୍ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ। ସ୍ୱାମୀଙ୍କ ସହ ବାଇକ୍ ରେ ଚମ୍ପାଗଡରୁ ଲୋକିପୁର ଯାଉଥିବା ବେଳେ ବଡପାରୀ ଓଭର ବ୍ରିଜ୍ ଠାରେ ପଛରୁ ଏକ ବାଇକ୍ ରେ ଦୁଇ ଦୁବୃର୍ତ୍ତ ମହିଳାଙ୍କ ଭ୍ୟାନିଟ୍ ଝାମ୍ପି ନେଉଥିବା ବେଳେ ମହିଳା ନ ଛାଡିବାରୁ ମହିଳା ଜଣଙ୍କୁ ଲୁଟେରା ଧକ୍କା ମାରିବାରୁ ସେ ତଳେ ପଡି ଗୁରୁତର ହୋଇ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପଟେ ଟାଙ୍ଗୀ ରତ୍ନମାଳୀ ସାହିର ନର୍ମଦା ରାୟ ସିଂ ବଡପାରୀ ସେବା ସମବାୟ ସମିତିରେ କମ୍ପ୍ୟୁଟର ଅପରେଟର ଭାବେ କାର୍ୟ୍ୟ କରୁଛନ୍ତି। ମହିଳା ଜଣଙ୍କ ସ୍କୁଟିରେ ଆସୁଥିବା ବେଳେ ତାଙ୍କ ଘର ନିକଟରୁ ମାତ୍ର ୫୦୦ ମିଟର ଦୂରରେ ସେହି ବାଇକ୍ ଲୁଟେରା ଲୁଟ୍ ଉଦ୍ୟମ କରିଥିଲେ । ସେ ସ୍କୁଟିରୁ ପଡି ହାତ ଭାଙ୍ଗି ଯାଇ ଆହତ ହୋଇଛନ୍ତି। ତାଙ୍କୁ ଚାନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି।





