ଉଦଳା, (ବାଘୁଆବାର୍ତ୍ତା): ମାତିଛନ୍ତି ଲୁଟେରା । ଲୁଟେରାମାନେ ଶେଷରେ ବିଡିଓଙ୍କ ସରକାରୀ ବାସଭବନରୁ କରିଲେ ଲୁଟ୍ । ଲୁଟର ଶିକାର ହୋଇଛନ୍ତି ବିଡିଓ । କପ୍ତିପଦା ବିଡିଓ ସିଦ୍ଧେଶ୍ୱର ନାଏକଙ୍କ ବାସଭବନରେ ଦୁବୃର୍ତ୍ତ ବୁଲାଇଛନ୍ତି କଳାକନା । ମଙ୍ଗଳବାର ବିଡିଓ ସିଦ୍ଧେଶ୍ୱର ନାଏକ ତାଙ୍କ ସ୍ତ୍ରୀଙ୍କର ଚିକିତ୍ସା ନିମନ୍ତେ ଭୁବନେଶ୍ୱର ଯାଇଛନ୍ତି । ଯାହାର ସୁଯୋଗ ନେଇ ବିଳମ୍ବିତ ରାତିରେ ଲୁଟେରାମାନେ ବିଡିଓଙ୍କ ସରକାରୀ ବାସଭବନ ମୁଖ୍ୟ ଫାଟକ ତାଲା ଭାଙ୍ଗିବା ସହିତ ବାସଭବନରେ ପଶି ଲୁଟ କରିଛନ୍ତି । ଲୁଟେରାମାନେ ଗଡରେଜ୍ ଖୋଲିବା ସହିତ ଘରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସମେତ ନଗଦ ଟଙ୍କା ଲୁଟି ନେଇଛନ୍ତି । ଲୁଟେରାମାନେ ଲୁଟ୍ କରିବାର ଭିଡିଓ ସିସିଟିଭିରେ କଏଦ ହୋଇଛି । ବିଡିଓ ନିଜ ମୋବାଇଲରେ ସିସିଟିଭି ଦେଖିବା ପରେ ଘରେ ଲୁଟ୍ ହୋଇଥିବା ଜାଣିପାରି କପ୍ତିପଦା ପୋଲିସ୍କୁ ଖବର ଦେଇଥିଲେ । କପ୍ତିପଦା ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଂଟିଫିକ୍ ଟିମ ଏବଂ ସନ୍ଧାନୀ କୁକୁର ସହାୟତାରେ ତଦନ୍ତକୁ ତ୍ୱରାନ୍ୱିତ କରିଛି ।





