ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା । ସରକାରୀ ଗାଡ଼ି ଭାଙ୍ଗିବା, ସୁନା ଗହଣା ଚୋରି କରିବା ଏବଂ ଡକାୟତି ଉଦ୍ୟମ କରିବା ମାମଲାରେ ୧୦ ଜଣଙ୍କୁ ଗିରଫ କରିଛି ଦଶପଲ୍ଲା ପୁଲିସ । ଦଶପଲ୍ଲା ଲଙ୍କାପୋଡି ଯାତ୍ରାରେ ଅଧିକ ଜନ ଗହଳି ହୋଇଥିବାରୁ ଏହାର ସୁଯୋଗକୁ ହାତ ଛଡ଼ା କରନ୍ତି ନାହିଁ ଡକାୟତ ଗୋଷ୍ଠି । ସୁନା ଗହଣା ଚୋରି ଉଦ୍ୟମକୁ ରୋକିବା ପାଇଁ ଦଶପଲ୍ଲା ଥାନା ଅଧିକାରୀ ବସନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ କରାଯାଇ ଡକାୟତଙ୍କୁ ଧରିବାରେ ସଫଳ ହୋଇଛି । ଡକାୟତି ମାମଲାରେ ମୁଖ୍ୟତଃ ୯ ମହିଳା ସାମିଲ ହୋଇଛନ୍ତି ।

ଦଶପଲ୍ଲା ଥାନା ପକ୍ଷରୁ ୪ ଗୋଟି ମାମଲା ରୁଜ କରାଯାଇ ୧୦ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଫରୁୱାଡ କରାଯାଇଛି । ଦଶପଲ୍ଲା ନିକଟସ୍ଥ ମଧ୍ୟଖଣ୍ଡ ଗଡ଼ଭିତର ସାହିର ଭାଗିରଥି ମାଝିଙ୍କ ପୁଅ ଦିବ୍ୟସିଂ ମାଝି ସରକାରୀ ବସର ଗ୍ଲାସ ଭାଙ୍ଗିବା ଓ କର୍ମଚାରୀ ମାନଙ୍କୁ ଜୀବନରେ ମାରିଦେବା ଅଭିଯୋଗରେ ଗିରଫ କରାଯାଇ କୋର୍ଟ ଫରୁୱାଡ କରାଯାଇଛି । ସେହିପରି ଭଦ୍ରକ ମୋଚି ସାହିର ଶଙ୍କର ରାଓଙ୍କ ସ୍ତ୍ରୀ ଗୀତା ରାଓଙ୍କୁ ସୁନା ମାଳି ଚୋରି ଅଭିଯୋଗରେ ଗିରଫ କରାଯାଇଛି । ଅନ୍ୟ ଏକ ପକ୍ଷେ ଜଟଣୀ ରାଜବଜାର ର ୩ ଜଣ ମହିଳା ସୁନା ହାର ଚୋରି କରିଥିବା ଅଭିଯୋଗରେ ଗିରଫ କରାଯାଇଛି । ସେମାନେ ହେଲେ ଏମ ରାଜୁଙ୍କ ପତ୍ନୀ ଏମ ପୁଜା, ରାଜୁ ରାମଙ୍କ ପତ୍ନୀ ଜ୍ୟୋତି ରାଓ, ଏମ ରାଜେଶଙ୍କ ପତ୍ନୀ ଏମ କାଜଲଙ୍କୁ ଅନେକ ମାମଲାରେ ଗିରଫ କରାଯାଇ କୋର୍ଟ ଫରୁୱାଡ କରାଯାଇଛି ।

ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଉଧାର କରାଯାଇ ଚୋରି ହୋଇଥିବା ଲୋକଙ୍କୁ ପ୍ରଦାନ କରାଯାଇଛି । ସେହିପରି ଅନ୍ୟ ଏକ ଚୋରି ଉଦ୍ୟମ ମାମଲାରେ ପୁରୀର ୪ ଜଣ ମହିଳା ଓ ଜଟଣୀର ଜଣେ ମହିଳାଙ୍କୁ ମିଶାଇ ୫ ଜଣଙ୍କୁ ଗିରଫ କରାଯାଇଛି । ପୁରୀର ପାର୍ବତୀ ନାଇଡୁ, ଏମ ପଦ୍ମା, ମରି ନାଇଡୁ ଓ ଏସ କାର୍ତିକ ହେଉଛନ୍ତି ପୁରୀ ସମୁଦ୍ର କୁଳ ସାହିର ବାସିନ୍ଦା । ସେହି ଗ୍ୟାଙ୍ଗର ଜଟଣୀ ରାଜାବଗିଚା ମୋଚି ସାହିର ଲକ୍ଷ୍ମୀ ନାଇଡୁଙ୍କୁ ମଧ୍ୟ ଗିରଫ କରାଯାଇଛି । ଏମାନେ ସମସ୍ତେ ଜନ ଗହଳୀର ଫାଇଦା ନେଇ ଚୋରି କରୁଥିଲେ । ଦଶପଲ୍ଲା ପୁଲିସ ପକ୍ଷରୁ ୪ ଗୋଟି ମାମଲା ରୁଜ କରାଯାଇ ସମସ୍ତଙ୍କୁ କୋର୍ଟ ଫରୁୱାଡ କରାଯାଇଛି ।





