ପୁରୀ, (ବାଘୁଆବାର୍ତ୍ତା): ଅନେକ ସମୟରେ ଜନସାଧାରଣ ସାଇବର ଠକେଇର ଶିକାର ହେଉଥିବା ନଜର ଆସିଛି । ଚୋରଠାରୁ ପୋଲିସ ଯେତେ ଚାଲାକ ଭାବେ କାମ କଲେ ମଧ୍ୟ ସବୁବେଳେ ଚୋର ପୋଲିସକୁ ଭୁଆଁ ବନେଇ ତା କାମ ହାସଲ କରିନେଉଛି । ପୋଲିସ ଯେତେ ସଜାଗ ହେଲେ ମଧ୍ୟ ତାଙ୍କ ଆଖିରେ ଧୂଳି ଦେଇ ଚୋର ଲୁଟ କରି ଚାଲୁଛି । କେତେବେଳେ ସାଇବର୍ କ୍ରିମିନାଲ ବ୍ୟାଙ୍କ୍, ପୋଷ୍ଟାଲ, ଆଧାର ଲିଙ୍କ, ପ୍ୟାନ କାର୍ଡ ଭଳି ଅନେକ ବ୍ରାଣ୍ଡର ନାଁ କହି ନିଜର ଓଟିପି କୋଡ ଦେବାକୁ କହି ଠକେଇ କରୁଛନ୍ତି । ଏଭଳି ଏକ ଘଟଣା ଘଟିଛି ପେଣ୍ଠକଟା ଅଧୀନ ସଦର ବ୍ଲକ ଅଞ୍ଚଳ ଜଣେ ପୋଲିସ ବାବୁଙ୍କ ପତ୍ନୀଙ୍କ ସହ । ପ୍ରିୟଙ୍କା କାନୁନଗୋ ନାମକ ଜଣେ ମହିଳାଙ୍କୁ ଏକ ଫୋନ୍ କଲ୍ ଆସିଥିଲା । ସେ ବ୍ୟାଙ୍କର କର୍ମଚାରୀ କହି ଓଡ଼ିଆରେ ପ୍ରିୟଙ୍କା ସହ କଥା ହୋଇଥିଲେ ଏବଂ ବ୍ୟାଙ୍କ୍ ଆକାଉଣ୍ଟ ସହ ଆଧାର କାର୍ଡ ଲିଙ୍କ ହୋଇନି ବୋଲି କହିଥିଲା । ଏହାପରେ ପ୍ରିୟଙ୍କାଙ୍କୁ ଏକ ଚାରି ଡିଜିଟର କୋଡ ଦେଇଥିଲା । ଏହି କୋଡ ପ୍ରିୟଙ୍କା ଉକ୍ତ ଯୁବକକୁ ଦେଇ ସାରିବା ପରେ ତାଙ୍କ ଆକାଉଣ୍ଟରୁ ଏକଲକ୍ଷ ୧୪ ସହ ୭୪ ଟଙ୍କା କଟି ଯାଇଥିଲା । ପ୍ରିୟଙ୍କାଙ୍କ ନିକଟକୁ ସଙ୍ଗେ ସଙ୍ଗେ ୯ଟି ମେସେଜ୍ ଆସିଥିଲା । ଏହି ମେସେଜ ପ୍ରିୟଙ୍କା ପାଇବା ପରେ ସଙ୍ଗେ ସଙ୍ଗେ ନିକଟସ୍ଥ ବ୍ୟାଙ୍କକୁ ଯାଇ ମିନି ଷ୍ଟେଟମେଣ୍ଟ ଆଣିବା ସହ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇଥିବା ବେଳେ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ଅତିରିକ୍ତ ଏସପି ମିହିର ପଣ୍ଡା ।





