ଭୁବନେଶ୍ୱର (ବାଘୁଆବାର୍ତ୍ତା): ସପ୍ତାହେ ସଟଡାଉନ ରହିବ ଓଡିଶା ହାଇକୋର୍ଟ । ରାଜ୍ୟ ଓ କଟକ ସହରରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ହାଇକୋର୍ଟର ଅନେକ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ୨୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ସଟଡାଉନ ରହିବ ବୋଲି ରେଜିଷ୍ଟ୍ରାର ଜେନେରାଲ ନିର୍ଦ୍ଦେଶନାମା ଜାରି କରିଛନ୍ତି । ବିଜ୍ଞପ୍ତି ଅନୁଯାୟୀ ମେ ୨୮ ତାରିଖ ପୂର୍ବରୁ ଘୋଷଣା ହୋଇଥିବା ନିୟମ ମୁତାବକ ହାଇକୋର୍ଟ କାର୍ଯ୍ୟ କରିବ । ସଟଡାଉନ ସମୟରେ କୌଣସି ଅବସରକାଳୀନ ବେଞ୍ଚ କାର୍ଯ୍ୟ କରିବ ନାହିଁ । ଗ୍ରୀଷ୍ମ ଅବକାଶର ଅବକାଶକାଳୀନ ବେଞ୍ଚ ମେ ୩୧, ଜୁନ ୨ ଓ ଜୁନ ୪ ତାରିଖ କାର୍ଯ୍ୟ କରିବ । ସେହି ୩ଟି ତାରିଖରେ କୌଣସି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ପାଇଁ ତାରିଖର ପୂର୍ବଦିନ କାର୍ଯ୍ୟ ଦିବସରେ ରେଜିଷ୍ଟ୍ରାର ଓ ଡେପୁଟି ରେଜିଷ୍ଟ୍ରାରଙ୍କ ନିକଟରେ ପୂର୍ବରୁ ଘୋଷଣା ହୋଇଥିବା ବ୍ୟବସ୍ଥାରେ ତାଲିକାଭୁକ୍ତ କରାଯାଇ ପାରିବ । ମେ ୨୦ ରୁ ୨୭ ତାରିଖ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଲକଡାଉନ ସମୟରେ ଯଦି ଏଭଳି କୌଣସି ମାମଲା ରହିଥାଏ, ଯାହାକି ମେ ୩୧ ତାରିଖ ପର୍ଯ୍ୟନ୍ତ ଶୁଣାଣି ପାଇଁ ଅପେକ୍ଷା କରାଯାଇ ପାରିବ ନାହିଁ, ତେବେ ସେଭଳି ମାମଲାର ଗୁରୁତ୍ୱ ସଂପର୍କରେ ନିର୍ଦ୍ଦିଷ୍ଟ ତଥ୍ୟ ଦେଇ ରେଜିଷ୍ଟ୍ରାରଙ୍କ ନିକଟରେ ଦିନ ୧୧ଟା ରୁ ୧୨ଟା ମଧ୍ୟରେ ଇମେଲ ohc.mentionmemos@gmail.com ଜରିଆରେ ଆଇନଜୀବୀ ଦାଖଲ କରି ପାରିବେ । କିନ୍ତୁ ଏହି ସମୟରେ କୌଣସି ବିଚାରଗତ ମାମଲା ରୁଜୁ ନ କରିବାକୁ ଆଇନଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି ।






