ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଗଞ୍ଜେଇ ଚାଲାଣ ର୍ୟା କେଟ୍ରେ ସାମିଲ୍ ହେଲେଣି କିନ୍ନର । ଟ୍ରେନ୍ ଯୋଗେ ଅହମ୍ମଦାବାଦ ଗଞ୍ଜେଇ ଚାଲାଣ କରୁଥିବା ୨ କିନ୍ନର ଭୁବନେଶ୍ୱର ରେଳଷ୍ଟେସନରୁ ଧରାପଡିଛନ୍ତି । ଆର୍ପିଏଫ୍ର କ୍ରାଇମବ୍ରାଞ୍ଚ ଓ ଭୁବନେଶ୍ୱର ଆରପିଏଫ ଥାନାର ମିଳିତ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦୁହେଁ ହେଲେ ଲକ୍ଷ୍ମୀଧର ମହାନ୍ତି ଓରଫ ଲିଜା କିନ୍ନର ଏବଂ ଅନ୍ୟଜଣେ ବସନ୍ତ ସ୍ୱାଇଁ ଓରଫ ବାସନ୍ତୀ କିନ୍ନର । ପୁଲିସ ୨ ଜଣଙ୍କଠାରୁ ୧୫ କେଜିରୁ ଅଧିକ ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ଅନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି । ଆର୍ପିଏଫ୍ କହିଛି, ଲିଜା ଓ ବାସନ୍ତୀ ଗତକାଲି ପ୍ରଶାନ୍ତି ଏକ୍ସପ୍ରେସରେ ବାଲୁଗାଁରୁ ଭୁବନେଶ୍ୱର ଅଭିମୁଖେ ଚଢ଼ିଥିଲେ । ସାଙ୍ଗରେ ଉଭୟେ ହ୍ୟାଣ୍ଡବ୍ୟାଗ ଓ ସୁଟକେସରେ ଗଞ୍ଜେଇ ଭର୍ତ୍ତି କରି ଆଣିଥିଲେ । ସେଠୁ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ଏମାନେ ପୁରୀ-ଗୁଜରାଟ ଗାନ୍ଧୀଧାମ ଏକ୍ସପ୍ରେସରେ ଗଞ୍ଜେଇ ନେଇ ଅହମ୍ମଦାବାଦ ଯାଇଥାନ୍ତେ । ୨ କିନ୍ନର ଟ୍ରେନ୍ ଯାତ୍ରା ପାଇଁ ରିଜର୍ଭେସନ ଟିକେଟ କରିଥିବାରୁ ବାଲୁଗାଁ ଷ୍ଟେସନ କର୍ମକର୍ତ୍ତା ଓ ଆର୍ପିଏଫ୍ ଟିମ୍ଙ୍କ ସନ୍ଦେହ ଉପୁଜିଥିଲା । ଏନେଇ ସେମାନେ ଆର୍ପିଏଫ୍ କ୍ରାଇମ୍ବ୍ରାଞ୍ଚକୁ ଖବର ଦେଇଥିଲା । କ୍ରାଇମବ୍ରାଞ୍ଚର ଏକ ଟିମ୍ ଭୁବନେଶ୍ୱର ଷ୍ଟେସନ ରେଳବାଇ ମେଲ ସର୍ଭିସ ଅଫିସ ସାମ୍ନାରୁ ଦୁଇ କିନ୍ନରଙ୍କୁ ଅଟକାଇ ଯାଞ୍ଚ କରିଥିଲା । ସେମାନଙ୍କ ହ୍ୟାଣ୍ଡବ୍ୟାଗ ଓ ସୁଟକେସରୁ ଗଞ୍ଜେଇ ପୁଡିଆ ମିଳିଥିଲା । ପଚରାଉଚରା ବେଳେ ଅଭିଯୁକ୍ତ ୨ଜଣ ମାନିଛନ୍ତି ଯେ ସେମାନେ ଗାନ୍ଧୀଧାମ ଏକ୍ସପ୍ରେସରେ ଅହମ୍ମଦାବାଦ ଯାଇଥାନ୍ତେ । ତେବେ ସେମାନେ କାହାଠୁ ଗଞ୍ଜେଇ କିଣିଥିଲେ? ଅହମ୍ମଦାବାଦରେ କାହାକୁ ବିକ୍ରି କରିଥାନ୍ତେ ? ଏନେଇ ଖୋଳତାଡ କରୁଛି ଭୁବନେଶ୍ୱର ଜିଆର୍ପି ଥାନା ପୁଲିସ ।





