ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବହୁଚର୍ଚ୍ଚିତ ମାୟାବିନୀ ଅର୍ଚ୍ଚନା ନାଗ ମାମଲା ରବିବାର ସୁପ୍ରିମ୍ କୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ତଥା ଏସ୍ଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ କଳାଧନ ନେଇ ଗଠିତ ଏସ୍ଆଇଟି ବୈଠକରେ ଉଠିଥିଲା । ଏହି ମାମଲାର ତଦନ୍ତ ନେଇ କେତେ ଅଗ୍ରଗତି ଘଟିଛି ସେନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଠାରୁ ଜାଣିବାକୁ ଚାହିଁଥିଲେ ଶ୍ରୀ ପଶାୟତ ।ଏନେଇ ଇଡି ମଧ୍ୟ ଏକ ଷ୍ଟାଟସ୍ ରିପୋର୍ଟ ଉପସ୍ଥାପନ କରିଥିବା ଜଣାପଡ଼ିଛି । ଅର୍ଚ୍ଚନାଙ୍କ ନିକଟରେ ପ୍ରାୟ ୧୦ କୋଟି ଟଙ୍କାର କଳାଧନ ଠାବ ହୋଇଛି । ମାମଲାରେ ଆୟକର ବିଭାଗ ତଦନ୍ତ କରିବାକୁ ଏସ୍ଆଇଟି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ବୈଠକରେ ସିବିଡିଟି, ଇଡି, ଆୟକର ବିଭାଗ, ନାର୍କୋଟିକ୍ସ ବିଭାଗ , ଭାରତର ନିର୍ବାଚନ କମିଶନର ଓ ଭାରତ ସରକାରଙ୍କ ତଦନ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସେପଟେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଅଧାରୁ ଅଧିକ ଅଂଶ ବାପା ଏସ୍. ନାଗ ନାଁରେ ଲୁଚାଇଥିବାର ଗନ୍ଧ ବାରିଛି ଇଡି । ଶ୍ରୀ ନାଗଙ୍କୁ ହେପାଜତକୁ ନେଇ ଇଡି ରବିବାର ଦିନତମାମ ମାରାଥନ୍ ଜେରା କରିଛି । ଅନ୍ୟତମ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ଜେରା ଆଜି ତୃତୀୟ ଦିନରେ ଜାରି ରହିଛି । ରବିବାର ସକାଳ ୧୦ଟାରେ ଅଚ୍ଚର୍ନାଙ୍କ ବାପା ଶ୍ରୀ ନାଗଙ୍କୁ ଇଡି ଅଫିସକୁ ନିଆଯାଇ ଦିନତମାମ ଜେରା କରାଯାଇଥିଲା । ଗତ ୫ ବର୍ଷରେ ଝିଅ କେତେ ପରିମାଣର ଟଙ୍କା ବାପାଙ୍କୁ ଦେଇଛି? କାହା କାହା ନାଁରେ ବେନାମୀ ସମ୍ପତ୍ତି ଲୁଚାଇ ରଖାଯାଇଛି? ଏସବୁ ଦିଗକୁ ନେଇ ଘନଘନ ପ୍ରଶ୍ନ ପଚରା ଯାଇଥିଲା । ଅର୍ଚ୍ଚନାଙ୍କ ବାପା ମାପିଚୁପି ଉତ୍ତର ରଖୁଥିବା ଇଡି ପକ୍ଷରୁ ସୂଚନା ମିଳିଛି । ପୈତୃକ ଘରୁ ଜବତ ହୋଇଥିବା ମୋବାଇଲ୍ ଫୋନକୁ ଶ୍ରୀ ନାଗଙ୍କ ସାମ୍ନାରେ ଖୋଲାଯାଇଥିଲା । ସେଥିରୁ ମଧ୍ୟ କିଛି ଗୋପନୀୟ ତଥ୍ୟ ମିଳିଥିବା ଇଡି କହିଛି । ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ମୁଖ୍ୟ ସହଯୋଗୀ ଖଗେଶ୍ୱରଙ୍କ ପାଇଁ କାଳ ସାଜିଥିଲା ଇଡିରେ ତୃତୀୟ ଦିନ । ଯେହେତୁ ଅର୍ଚ୍ଚନା ମାମଲା ପରଠୁ ଖଗେଶ୍ୱର ୨ ମୋବାଇଲ୍ରୁ ଅର୍ଚ୍ଚନାଙ୍କ ସହ ଅର୍ଥନୈତିକ କାରବାର (୫ଟି ଆକାଉଣ୍ଟରେ ୪୦ ଲକ୍ଷ ଟଙ୍କା) ସମ୍ପର୍କିତ ସମସ୍ତ ତଥ୍ୟ ଡିଲିଟ୍ କରିଦେଇଥିଲେ । ଏହି ଆଧାରରେ ୨ ଦିନ ଧରି ଇଡିକୁ ଜେରାରେ ଆଦୌ ସହଯୋଗ କରୁନଥିଲେ । କିନ୍ତୁ ରାଜ୍ୟ ବାହାରର ଏକ ସାଇବର ସଫ୍ଟୱେର ଏକ୍ସପର୍ଟ ଟିମ୍ ରବିବାର ଇଡି ଅଫିସରେ ଜବତ ୨ ମୋବାଇଲ୍ରୁ ଡିଲିଟ୍ ହୋଇଥିବା ତଥ୍ୟ ଖୋଜିଥିଲା । ମୋବାଇଲରୁ ଡିଲିଟ୍ ହୋଇଥିବା ଦେଢ଼ ଶହରୁ ଅଧିକ ଫଟୋ, ୨ ଡଜନେରୁ ଅଧିକ ଭିଡିଓ ଓ କିଛି ଅନ୍ଲାଇନ୍ ଟ୍ରାନ୍ଜାକସନର ତଥ୍ୟକୁ ରିକଭର କରାଯାଇଥିଲା । ଗୁମର ଖୋଲିଯିବା ପରେ ଜେରା କରୁଥିବା ଟିମ୍ ଖଗେଶ୍ୱରକୁ ପ୍ରଶ୍ନବାଣରେ ଘାଇଲା କରିଥିଲେ । ଖଗେଶ୍ୱର ସଙ୍ଗେ ସଙ୍ଗେ ଅସୁସ୍ଥତା ବାହାନା କରିଥିଲା । ଯେଉଁଥିପାଇଁ ଇଡି ଅଧିକାରୀମାନେ ଅପରାହ୍ଣରେ ଖଗେଶ୍ୱରକୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ । ସେଠାରେ ୧୦ ମିନିଟ୍ର ସ୍ୱାସ୍ଥ୍ୟ ଯାଞ୍ଚ ପରେ ପୁଣି ଇଡି ଅଫିସକୁ ଅଣାଯାଇଛି । ଖଗେଶ୍ୱରଙ୍କ ପରେ ଆଗକୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିବାକୁ ଇଡି ଯୋଜନା କରୁଥିବା ସୂଚନା ମିଳିଛି । ସାଇବର ଏକ୍ସପର୍ଟ ଲିଙ୍ଗରାଜ ସେଠୀଙ୍କ କହିବା ମୁତାବକ, ଏବେକାର ଡିଜିଟାଲ ଦୁନିଆରେ ସମସ୍ତଙ୍କ ମୋବାଇଲ୍ରେ ଇ-ୱାଲେଟ୍, ଇ-କମର୍ସ ଆପ୍ ରହୁଛି । ଖଗେଶ୍ୱରଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ମଧ୍ୟ ଅନ୍ଲାଇନ୍ ଟଙ୍କା ନେଣଦେଣ କରିଛି । ଏସବୁର ତଥ୍ୟ ଇଡିକୁ ମିଳିଯାଇଥିବ । କିନ୍ତୁ ଡିଲିଟ୍ ହୋଇଥିବା ଫଟୋ ଓ ଭିଡିଓକୁ ସମ୍ପୂର୍ଣ୍ଣ ରିକଭର କରିବା କଷ୍ଟସାଧ୍ୟ । କିଛି ଡାଟା ଆଦୌ ରିକଭର ହୋଇପାରେନି । ତେବେ ଖଗେଶ୍ୱରଙ୍କ ମୋବାଇଲ୍ରୁ ଯଦି ଅନ୍ୟ କୌଣସି ମୋବାଇଲ୍ କିମ୍ବା ହାର୍ଡ ଡିସ୍କକୁ ତଥ୍ୟ ପଠାଯାଇଥିବ । ସେସବୁର ତଥ୍ୟ ଜାଣିବାକୁ ‘ଏଣ୍ଡ ପଏଣ୍ଟ’କୁ ପାଥେୟ କରି ‘ଡାଟା ଟ୍ରାନ୍ସଫର’ର ଭର୍ଚୁଆଲ ଷ୍ଟୋରେଜକୁ ଖୋଜାଯାଇପାରିବ ।





