ଅଭିଯୁକ୍ତ ୨ଭାଇ ଥାନାରେ ଅଟକ
ନୟାଗଡ଼ (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ନନ୍ଦିଘୋର ଗ୍ରାମରେ ପୂର୍ବ ଶତ୍ରୁତା କାରଣରୁ ଆଜି ୨ଭାଇଙ୍କ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ନନ୍ଦିଘର ଗ୍ରାମ ତଳ ନେଳିଆସାହି ଜୟୀ ପ୍ରଧାନ ସହ ଉକ୍ତ ଗ୍ରାମ ନେଳିଆସାହିର ଉଦୟ ସାହୁଙ୍କ ପରିବାର ମଧ୍ୟରେ ମାଙ୍ଗଳିକ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିବା ଘଟଣାକୁୁ ନେଇ ଆକ୍ଷେପ ପ୍ରତିଆକ୍ଷେପ ଜାରିରହିଥିଲା । ହେଲେ ଗତକାଲି ସଂନ୍ଧ୍ୟାରେ ଜୟୀ ଘରେ ନଥିବା ସମୟରେ ଉଦୟ ଏବଂ ତାଙ୍କ ୨ପୁଅ ପପୁ ସାହୁ(୨୫) ଏବଂ ଦୀପକ ସାହୁ(୨୪ ) ଘର ସାମନାକୁ ଆସି ଗାଳିଗୁଲଜ କରିଥିଲେ । ଜୟୀ ଘରେ ପଂହଚିବା ପରେ ଗତକାଲିର ଘଟଣାକୁ ନେଇ ଜୟୀ ଉଦୟ ସାହୁଙ୍କ ମଧ୍ୟରେ ଆଜି ସକାଳ ୧୦ଟା ସମୟରେ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ଉଦୟ ଏବଂ ତାଙ୍କ ପୁଅମାନେ ଉତକ୍ଷ୍ରିପ୍ତ ହୋଇ ଏକ ମାରଣାଅସ୍ତ୍ରରେ ଜୟୀଙ୍କୁ ଆକ୍ରମଣ କରିଥିଲେ । ଜୟୀ ଜୀବନ ବିକଳରେ ଘରକୁ ପଳେଇ ଯିବା ସମୟରେ ଦୀପୁ ପପୁ ପଛପଟୁ ଜୟୀଙ୍କ ଡାହାଣ ଗୋଡକୁ ହାଣି ଦେଇଥିଲେ । ସଙ୍ଗେ ସଙ୍ଗେ ଗୁରୁତର ଜୟୀଙ୍କୁ ପରିବାର ଲୋକେ ଶରଣକୂଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ମାତ୍ର ପ୍ରତିପକ୍ଷଙ୍କ ଅଭିଯୋଗ ଅନୁଶାରେ ଜୟୀଙ୍କ ଆକ୍ରମଣରେ ଉଦୟ ସାହୁ ଆହତ ହେବାରୁ ଜୟୀଙ୍କ ଠାରୁ ମାରଣାଅସ୍ତ୍ର ଛଡାଇଆଣି ଉଦୟଙ୍କ ୨ପୁଅ ଜୟୀଙ୍କୁ ଆକ୍ରମଣ କରିଥିବା ଜଣାଯାଇଛି । ଜୟୀଙ୍କ ସ୍ତ୍ରୀ ପ୍ରଭାସିନୀ ପ୍ରଧାନଙ୍କ ଅଭିଯୋଗ ଏବଂ ଉଦୟ ସାହୁଙ୍କ ଅଭିଯୋଗ ଅନୁସାରେ ୨ଟି ପୃଥକ ମାମଲା ରୁଜୁ ହୋଇଛି ।






