କେନ୍ଦୁଝର, (ବାଘୁଆବାର୍ତ୍ତା): କେନ୍ଦୁଝର ଡିଡି କଲେଜର ଜଣେ ଛାତ୍ରୀଙ୍କୁ ମୋବାଇଲରେ ଚାଟିଂ କରିବା ଅଧ୍ୟାପକଙ୍କ ପାଇଁ ମହଙ୍ଗା ପଡ଼ିଛି । ଧୂମ୍ ଛେଚା ଖାଇବା ପରେ ଚାକିରିକୁ ମଧ୍ୟ ବିଦା ହୋଇଛନ୍ତି । ଏ ଘଟଣା କେନ୍ଦୁଝରରେ ଚର୍ଚ୍ଚାର ବିଷୟ ହୋଇଛି । ରୋମିଓ ଅଧ୍ୟାପକ ଜଣଙ୍କ କଳାକାରନାମା ପଦାକୁ ଆସିବା ପରେ କଲେଜରେ ଉତ୍ତେଜନା ପ୍ରକାଶ ପାଇଥିଲା । କଲେଜ ଅଧ୍ୟକ୍ଷଙ୍କ ହସ୍ତକ୍ଷେପ ପରେ ଅଧ୍ୟାପକ ଜଣଙ୍କ ଇସ୍ତଫା ଦେଇ କେନ୍ଦୁଝର ଛାଡିବା ଘଟଣା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିବା ଜଣାପଡିଛି । କେନ୍ଦୁଝରର ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜଣେ ଯୁକ୍ତ ୩ ଅନର୍ସ ଛାତ୍ରୀଙ୍କୁ ସେହି ବିଭାଗର ଅଧ୍ୟାପକ କ୍ଷିରୋଦ ପ୍ରସାଦ ନାୟକ କିଛିଦିନ ହେବ ମୋବାଇଲରେ ଫୋନ୍ କରି ବାରମ୍ବାର ହଇରାଣ କରୁଥିଲେ । ଏପରିକି ଛାତ୍ରୀଙ୍କୁ ଅଶ୍ଳୀଳ ଚାଟିଂ ମଧ୍ୟ କରୁଥିଲେ । ଛାତ୍ରୀଙ୍କ ପ୍ରତିବାଦ ସତ୍ତେ୍ୱ ଅତିଥି ଅଧ୍ୟାପକ ସେଥିରୁ ନିବୃତ୍ତ ରହୁନଥିଲେ । ଛାତ୍ରୀ ଜଣଙ୍କ ଅଧ୍ୟାପକଙ୍କ କଳାକାରନାମା ନେଇ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ପକ୍ଷରୁ କଲେଜର ଅଧ୍ୟକ୍ଷଙ୍କୁ ଅବଗତ କରିବା ସହିତ କାର୍ୟ୍ୟାନୁଷ୍ଠାନ ପାଇଁ ନିବେଦନ କରାଯାଇଥିଲା । ଏହି ଘଟଣାକୁ ନେଇ ଛାତ୍ରୀଙ୍କ ସହପାଠୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅଧ୍ୟାପକଙ୍କୁ ଡାକି ପଚରାଉଚରା କରାଯାଇଥିଲେ ମଧ୍ୟ ସେ ସ୍ୱୀକାର କରିନଥିଲେ । ଅନ୍ୟପକ୍ଷରେ କଲେଜ ଅଧ୍ୟକ୍ଷ ନରେନ୍ଦ୍ର ସାହୁ ଏହି ସ୍ପର୍ଶକାତର ପ୍ରସଙ୍ଗରେ ତୁରନ୍ତ ହସ୍ତକ୍ଷେପ କରିଥିଲେ । ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ପ୍ରବଳ ଚାପ ପଡିଥିଲା । ଅଧ୍ୟକ୍ଷ ନିର୍ଦ୍ଦେଶକ୍ରମେ ଅଧ୍ୟାପକ କ୍ଷିରୋଦ କାର୍ୟ୍ୟରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ଏ ସମ୍ପର୍କରେ ଅଧ୍ୟକ୍ଷ ଶ୍ରୀ ସାହୁଙ୍କୁ ପଚାରିବାରୁ ଅଧ୍ୟାପକ ଜଣଙ୍କ ବାରମ୍ବାର ଛାତ୍ରୀଙ୍କୁ ଫୋନ୍ କରିବା ଏବଂ ଚାଟିଂ କରିବା ପ୍ରମାଣ ମିଳିବା ପରେ ପରିସ୍ଥିତି ଜଟିଳ ହୋଇପଡିଥିଲା । ତେଣୁ ବିବାଦୀୟ ପ୍ରସଙ୍ଗରେ ସେ ଅଧ୍ୟାପକଙ୍କୁ ଇସ୍ତଫା ଦେବାକୁ କହିଥିଲେ । ଇସ୍ତଫା ନଦେଲେ ବାଧ୍ୟ ହୋଇ ବହିଷ୍କାର କରାଯିବ ବୋଲି ଚେତାବନୀ ପରେ ସେ ଇସ୍ତଫା ଦେଇଥିବା କହିଛନ୍ତି । ଉକ୍ତ ଅଧ୍ୟାପକ ଗତ ଜାନୁଆରୀ ମାସରୁ ଅତିଥି ଅଧ୍ୟାପକ ଭାବେ ନିଯୁକ୍ତି ପାଇଥିଲେ । ଅଧ୍ୟାପକ ବିଦା ହେବା ପରେ ପରିସ୍ଥିତି ନିୟନ୍ତ୍ରଣ ହେବା ସହିତ ଉତ୍ତେଜନା ହ୍ରାସ ପାଇଥିବା ଜଣାପଡିଛି ।






