ଭୋଗରାଇ, (ବାଘୁଆବାର୍ତ୍ତା): ଭୁଜାଲିରେ ଆକ୍ରମଣ କରି ପରିବା ବ୍ୟବସାୟୀଙ୍କ ଠାରୁ ଲୁଟିନେଲେ ନଗଦ ୯ ହଜାର ଟଙ୍କା ଓ ବାଇକ୍। ଗତକାଲି ବିଳମ୍ବିତ ରାତିରେ ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ବାଟଗ୍ରାମ ପୋଲ ନିକଟରେ ଜଣେ ପରିବା ବେପାରୀଙ୍କୁ ଭୁଜାଲିରେ ଆକ୍ରମଣ କରି ତାଙ୍କ ଠାରୁ ନଗଦ ୯ ହଜାର ଟଙ୍କା ଓ ବାଇକ୍ ଲୁଟି ନେଇଛନ୍ତି ୨ ଜଣ ଦୁର୍ବୃତ୍ତ। ପରିବା ବ୍ୟବସାୟୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଭୋଗରାଇ ବ୍ଲକ ନିମାତପୁର ପଞ୍ଚୟତର କୁଚିଲାଡଙ୍ଗର ଗ୍ରାମର ଶଶିକାନ୍ତ ପରିଡା (୪୦) ଗତକାଲି ବିଳମ୍ବିତ ରାତିରେ ପରିବା କିଣିବା ପାଇଁ ବାଲିଆପାଳ ସିମୁଳିଆ ବଜାରକୁ ଯାଉଥିଲେ। ଏହି ସମୟରେ ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ବାଟଗ୍ରାମ ପୋଲ ନିକଟରେ ଦୁଇଜଣ ଦୁର୍ବୁତ୍ତ ମୋଟର ସାଇକେଲ୍ରେ ଆସି ତାଙ୍କୁ ଅଟକାଇଥିଲେ। ଏହାପରେ ତାଙ୍କୁ ଭୁଜାଲିରେ ଆକ୍ରମଣ କରି ତାଙ୍କ ଠାରୁ ନଗଦ ୯ ହଜାର ଟଙ୍କା ଓ ବାଇକ୍ ଲୁଟି ନେଇଛନ୍ତି। ତେବେ ଶଶିକାନ୍ତଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଜଳେଶ୍ଵରପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ବାଲେଶ୍ଵର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।





