ବାଙ୍କୀ, (ବାଘୁଆବାର୍ତ୍ତା): ଚୋରି ଘଟଣାକୁ ବିତିଲାଣି ୮ ଦିନ । ଏବେବି ପୋଲିସ ହାତ ଖାଲି । ନ୍ୟାୟ ପାଇଁ ଗଣମାଧ୍ୟମର ଦ୍ୱାରସ୍ତ ହେଲେ ସେନା କର୍ମଚାରୀଙ୍କ ପରିବାର । ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍କୀ ବୈଦେଶ୍ୱର ଥାନା ଅନ୍ତର୍ଗତ ଖଜୁରିପଦାର ନୂଆ ସାହିରେ । ସୂଚନାନୁସାରେ, ନୂଆସାହିରେ ରୁହନ୍ତି ଜଣେ ସେନା ଅଧିକାରୀଙ୍କ ପରିବାର ସଦସ୍ୟ । ଗତ ୧୨ ତାରିଖ ବିଳମ୍ବିତ ରାତିରେ ପାଞ୍ଚ ଜଣ ଦୁର୍ବୁତ୍ତ ସେନା ଅଧିକାରୀଙ୍କ ଘର କବାଟ ତାଡି ପଶିଥିଲେ । ତାଙ୍କ ପତ୍ନୀ ଓ ପୁଅକୁ କବାଟ ବନ୍ଦ କରି ଦେଇଥିଲେ ଦୁର୍ବୃତ୍ତ । ଏହାପରେ ଅନ୍ୟ ଏକ କୋଠରୀରେ ଶୋଇଥିବା ଝିଅର ବେକରୁ ସୁନାଗହଣା ଲୁଟି ନେଇଥିଲେ । ଏନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ତୁରନ୍ତ ପୋଲିସ ଚୋରଙ୍କୁ ଗିରଫ କରି ସୁନାଗହଣା ଫେରାଇବାକୁ ପରିବାର ପକ୍ଷରୁ ଦାବି କରାଯାଇଥିଲା । କିନ୍ତୁ ଘଟଣାକୁ ୮ ଦିନ ବିତିଯାଇଥିଲେ ବି ଦୁର୍ବୃତ୍ତଙ୍କ ପତ୍ତା ମିଳୁନି । ସବୁଠାରୁ ବଡ କଥା ଯେ, ଦେଶକୁ ସୁରକ୍ଷା ଯୋଗାଉଥିବା ଜଣେ ସେନା କର୍ମଚାରୀଙ୍କ ଘରୁ ଲୁଟ୍ ହୋଇଛି । ଘଟଣା ପରେ ଅନ୍ୟ ସାଧାରଣ ବାସିନ୍ଦାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।






