ଚଣ୍ଡିଖୋଲ, (ବାଘୁଆବାର୍ତ୍ତା): ଅନେକ ଦିନ ଧରି ଚାଲିଥିଲା ଲୁଟ୍ । ପର୍ଦ୍ଦାଫାଶ କଲା ପୋଲିସ । ବସ୍ରେ ଯାଉଥିବା ଯାତ୍ରୀଙ୍କୁ ନିଶା ଦେଇ ଲୁଟ୍ ଉଦ୍ୟମ ବେଳେ ଜଣଙ୍କୁ ଗିରଫ କଲା ପୋଲିସ । ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍ଭିନ୍ ଜାରି ରଖିଛି ପୋଲିସ । ଖବର ଅନୁଯାୟୀ, କନ୍ଧମାଳ ଅଞ୍ଚଳର ଜଣେ ଯୁବକ ମିଲନ ପ୍ରଧାନ ବସ୍ ଯୋଗ ଚଣ୍ଡିଖୋଲ ଅଭିମୁଖେ ଆସୁଥିଲେ । ବସ୍ରେ ୨ଜଣ ଦୁର୍ବୃତ୍ତ ଏହି ଯୁବକଙ୍କ ବିସ୍କୁଟରେ ନିଶା ଦେଇ ଲୁଟ୍ କରିଥିଲେ । ଏହାପରେ ଯୁବକଙ୍କ ନିଶା ଶକ୍ତ ଅବସ୍ଥାରେ ବସ୍ରୁ ଉଦ୍ଧାର କରାଯାଇଥିଲା । ଖବର ସଂପର୍କରେ ଜାଣି ଚଣ୍ଡିଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଥିଲେ । ଏହି ଚୋରି ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ । ସେହିପରି ଗିରଫ ଯୁବକ ଜଣଙ୍କ କୁଜଙ୍ଗ ଅଞ୍ଚଳର ଶଶୀଭୂଷଣ ପଣ୍ଡା ବୋଲି ଜଣାପଡିଛି । ତେବେ ପୋଲିସ ତଦନ୍ତରୁ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଯୁବକ ଜଣଙ୍କ ଅନେକ ସମୟରେ ଟ୍ରେନ୍ ଓ ବସ୍ ଯାତ୍ରୀଙ୍କୁ ନିଶା ଦେଇ ଲୁଟ୍ କରୁଥିଲେ । ଏହି ଚୋରି ଘଟଣାରେ ଆଉ କାହାର ସଂପୃକ୍ତି ଅଛି । ସେନେଇ ଚଣ୍ଡିଖୋଲ ପୋଲିସ ଘଟଣାର ଛାନ୍ଭିନ୍ ଜାରି ରଖିଛି ।






