ମନମୁଣ୍ଡା, (ବାଘୁଆବାର୍ତ୍ତା): ଭୁବନେଶ୍ୱର ଏସ୍ଟିଏଫ୍ ଟିମ୍ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କପାସିରା ଛକ ନିକଟରୁ ଦୁଇଟି କଲରାପତରିଆ ବାଘଛାଲ ଜବତ କରିବା ସହ ଜଣକୁ ଗିରଫ କରିଛି । ଗିରଫ ବ୍ୟକ୍ତିଜଣକ ହେଲେ କଣ୍ଟାମାଳ ଥାନା ନାରାୟଣ ପ୍ରସାଦ ପଞ୍ଚାୟତ ଡୁନ୍ଦ୍ରା ଗ୍ରାମର ଗଣରାମ ଭୋଇଙ୍କ ପୁଅ ଜୀବର୍ଦ୍ଧନ (୨୫) । ସୂଚନା ଅନୁଯାୟୀ, ଉକ୍ତ ଅଞ୍ଚଳରେ ବାଘଛାଲ କାରବାର ହେଉଥିବା ଖବର ପାଇ ଏସ୍ଟିଏଫ୍ର ଏକ ଟିମ୍ ସୋନପୁରରେ କ୍ୟାମ୍ପ କରିଥିଲେ । ସୋମବାର ମଧ୍ୟାହ୍ନରେ କପାସିରା ଛକଠାରେ ବାଘଛାଲ ଚୋରାଚାଲାଣ ହେଉଥିବା ଉକ୍ତ ଟିମ୍ ଖବର ପାଇ ବିଭାଗୀୟ ଏସ୍ପିଙ୍କୁ ଜଣାଇଥିଲେ । ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଏସ୍ଟିଏଫ ଟିମ୍ କପାସିରା ଛକରେ ପାଟ୍ରୋଲିଂ କରିଥିଲେ । ସେହି ସମୟରେ ଉକ୍ତ ଛକରେ ଏକ ବସ୍ତା ଧରି ଛିଡ଼ା ହୋଇଥିବା ଜୀବର୍ଦ୍ଧନ ପାଖରେ ଅଟକି ଥିଲେ । ପରେ ଜୀବର୍ଦ୍ଧନ ଧରିଥିବା ବସ୍ତାକୁ ଉକ୍ତ ଟିମ୍ ଯାଞ୍ଚକରିବାରୁ ସେଥିରୁ ଦୁଇଟି କଲରାପତରିଆ ବାଘଛାଲ ଜବତ ହୋଇଥିଲା । ଘଟଣାରେ ଜୀବର୍ଦ୍ଧନକୁ ଉକ୍ତ ଟିମ୍ ଗିରଫ କରି ବୌଦ୍ଧ ଡିଏଫ୍ଓଙ୍କୁ ହସ୍ତାନ୍ତର କରିଥିଲା । ଏନେଇ ମନମୁଣ୍ଡା ଥାନାରେ ଏକ ମାମଲା ରୁଜୁ ହୋଇଛି ।






