ବଡ଼ବିଲ୍, (ବାଘୁଆବାର୍ତ୍ତା): ଯୋଡ଼ା ବାଂଶପାଣି ରେଳ ଷ୍ଟେସନରେ ଆରପିଏଫ ଯବାନଙ୍କୁ ସ୍ଥାନୀୟ ଲୋକଙ୍କ ଆକ୍ରମଣ ଘଟଣାରେ ଚିକିତ୍ସାଧିନ ଅବସ୍ଥାରେ ଆରପିଏଫ ଯବାନ ସମଶେର କୁମାର ସିଂଙ୍କ ମୃତ୍ୟୁ ଘଟିଛି । ଗତ ୧୨ ତାରିଖରେ ବାଂଶପାଣି ରେଳ ସାଇଡିଂ ଆରପିଏଫ ଯବାନଙ୍କ ମାଡ଼ରେ ଜଣେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ତୁମୁଳ କାଣ୍ଡ ଭିଆଇଥିଲେ । ଷ୍ଟେସନରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଆରପିଏଫ ଜବାନମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୪ଜଣ ଆରପିଏଫ ଯବାନ ଗୁରୁତର ଆହତ ହୋଇଥିଲେ । ଆହତ ଆରପିଏଫ ଜବାନ ପି ଏନ ପାଶୱାନ, ସମଶେର କୁମାର ସିଂଙ୍କୁ ଜାମଶେଦପୁର ସ୍ଥିତ ଟାଟା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ସମଶେରଙ୍କର ମୃତ୍ୟୁ ଘଟିଛି । ସମଶେର, ବିହାର ମୁଙ୍ଗେର ଜିଲ୍ଲାର ବୋଲି ଜଣାପଡିଛି । ତାଙ୍କ ମର ଶରୀରକୁ ବ୍ୟବଚ୍ଛେଦ ପରେ ଜାମଶେଦପୁର ସ୍ଥିତ ଆରପିଏଫ ବାରାକକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା ।






